ମୌସୁମୀ ବର୍ଷା, ଧାନ ବିହନ ବୁଣିଲେ ଚାଷୀ

ପଦ୍ମପୁର,୨୬।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଶନିବାର ରାତିରୁ ବର୍ଷା ହୋଇଛି। ଫଳରେ ଜମି ପ୍ରସ୍ତୁତ କରି ବିହନ ବୁଣିବାକୁ ଅପେକ୍ଷା କରିଥିବା ଚାଷୀଙ୍କ ହସ ଫୁଟିଛି। ପଦ୍ମପୁର ବ୍ଲକର ବିଭିନ୍ନ ଗ୍ରାମରେ ଚାଷୀମାନେ ପାଗ ଅନୁକୂଳ ଦେଖି ବିହନ ବୁଣିଛନ୍ତି। ପ୍ରଚଣ୍ଡ ଖରାରେ ଭାଜି ହେଉଥିବା ପଦ୍ମପୁରବାସୀ ଏବେ ବର୍ଷାର ଶୀତଳ ସ୍ପର୍ଶରେ ଆଶ୍ୱସ୍ତ ହୋଇଛନ୍ତି। ବିଶେଷ କରି ଗତ ୨୪ ଘଣ୍ଟାରେ ପାଗ ପରିବର୍ତ୍ତନ ଯୋଗୁ ଚାଷୀ ଉତ୍ସାହିତ ହୋଇ ଚାଷକାର୍ଯ୍ୟକୁ ଆଗେଇ ନେଇଛି। ଜୁନ୍‌ ମାସରେ ଆବଶ୍ୟକତାଠାରୁ କମ୍‌ ବର୍ଷା ହୋଇଥିବାରୁ ଚାଷୀ ଚିନ୍ତାରେ ପଡିଥିଲା। ମାତ୍ର ଏବେକାର ବର୍ଷା ଆଗକୁ ଲାଗିରହିଲେ ଚାଷକାର୍ଯ୍ୟ ଆଗେଇବ ବୋଲି ଚାଷୀମାନେ କହିଛନ୍ତି। ତେବେ ସେମାନେ ଯେପରି ଠିକ୍‌ ସମୟରେ ସାର, ବିହନ ଉଚିତ ମୂଲ୍ୟରେ ପାଇପାରିବେ ସେ ନେଇ କୃଷି ବିଭାଗ ଉଦ୍ୟମ କରିବା ପାଇଁ ଚାଷୀମାନେ ମତ ଦେଇଛନ୍ତି।