୩୯ଟି ଦେଶରେ ୧୬୦୦ମଙ୍କିପକ୍ସ ମାମଲା: ଘୋଷଣା କରାଯାଇପାରେ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି, ଜରୁରୀ ବୈଠକ ଡକାଇଲା ‘ହୁ’

ଜେନେଭା,୧୫।୬: କରୋନା ପରେ ଏବେ ସାରା ବିଶ୍ୱରେ ଚିନ୍ତା ବଢ଼ାଉଛି ମଙ୍କିପକ୍ସ। ସାରା ବିଶ୍ୱରେ ମଙ୍କିପକ୍ସର ବୃଦ୍ଧି ଓ ବିସ୍ତାରକୁ ନେଇ ବିଶ୍ୱ ସୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଏବେ ଚିନ୍ତା ପ୍ରକଟ କରିଛି। ମଙ୍କିପକ୍ସ ବିଶ୍ୱବ୍ୟାପି ବିସ୍ତାର ଅସ୍ବାଭାବିକ ଏବଂ ଚିନ୍ତାଜନକ ବୋଲି ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ ଗେବ୍ରେଏସ୍‌ସ ମଙ୍ଗଳବାର କହିଛନ୍ତି। ଆସନ୍ତା ସପ୍ତାହରେ ଗେବ୍ରେଏସ୍‌ସ ଏକ ଜରୁରୀକାଳୀନ କମିଟି ବୈଠକ ଡକାଇଛନ୍ତି। ଏହି ବୈଠକରେ ମଙ୍କିପକ୍ସର ପ୍ରକୋପ ଅନ୍ତର୍ଜାତୀୟ ଚିନ୍ତାଧାରାର ଜନସ୍ବାସ୍ଥ୍ୟ ଜରୁରୀ କି ନୁହେଁ ତାହା ଆକଳନ କରାଯିବ। ଗେବ୍ରେଏସ୍‌ସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୯ଟି ଦେଶରୁ ୧୬୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ପ୍ରାୟ ୧,୫୦୦ ସନ୍ଦିଗ୍ଧଙ୍କ ବିଷୟରେ ‘ହୁ’କୁ ରିପୋର୍ଟ ଦିଆଯାଇଛି। ଅନ୍ୟପଟେ ୩୯ଟି ଦେଶ ମଧ୍ୟରୁ ୭ଟି ଦେଶ ଅଛି ଯେଉଁଠାରେ ବର୍ଷ ବର୍ଷ ଧରି ମଙ୍କିପକ୍ସର ମାମଲା ରିପୋର୍ଟ କରାଯାଉଥିବା ବେଳେ ଏବେ ୩୨ଟି ନୂତନ ପ୍ରଭାବିତ ଦେଶ ରହିଛି। ଚଳିତ ବର୍ଷ ପ୍ରଭାବିତ ଦେଶମାନଙ୍କରେ ୭୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନୂତନ ପ୍ରଭାବିତ ଦେଶମାନଙ୍କରେ କୌଣସି ମୃତ୍ୟୁ ଖବର ଆସିନାହିଁ ବୋଲି ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଶକ କହିଛନ୍ତି।

Share