Categories: ଫୁରସତ

କୂଅରେ ପଡ଼ିଗଲା ବିଲେଇ, ଉଦ୍ଧାର କରିବାକୁ ଡେଇଁଲା ମାଙ୍କଡ଼, ଭିଡିଓ ଦେଖିଲେ…

ପଶୁମାନେ ସିନା କଥା କହିପାରନ୍ତିନି ମାତ୍ର ସେମାନେ ମଣିଷମାନଙ୍କଠାରୁ ବେଶ୍‌ ବୁଦ୍ଧିଆ ହୋଇଥାନ୍ତି। ସେମାନଙ୍କର ମଧ୍ୟ ସ୍ନେହ, ଶ୍ରଦ୍ଧା, ଭଲପାଇବା ଆଗରେ ମଣିଷ ମଧ୍ୟ ହାର୍‌ ମାନିବ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଜଣାପଡୁଛି।

@pups_Puppies1 ନାମକ ଏକ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ଏକ ମାଙ୍କଡ଼ ବିଲେଇକୁ କୂଅରୁ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ଏହି ବିଲେଇର ଜୀବନ ବଞ୍ଚାଇବା ପାଇଁ ମାଙ୍କର ଆଗ୍ରହ ଦେଖି ଅନୁଭବ କରିବେ ଯେ, ଏମାନେ ମଣିଷଙ୍କଠାରୁ ବି ଊର୍ଦ୍ଧ୍ୱରେ।

ଭିଡିଓରେ ଏକ ବିଲେଇ କୂଅ ଭିତରେ ପଡ଼ିଥିବାର ନଜର ଆସିଛି। କୂଅଟି ଯଦିଓ ଏତେ ଗଭୀର ନୁହେଁ, କିନ୍ତୁ ବିଲେଇଟି ସେଥିରେ ପଡ଼ିଗଲା। ଏଥିରେ ଥିବା ପାଣିରେ ସେ ଓଦା ହୋଇଗଲା। ଫଳରେ ଏହା ବାହାରିବା ପାଇଁ ଅସମର୍ଥ। ଏହା ଏକ ମାଙ୍କଡ଼ର ନଜରରେ ପଡ଼ିଲା। ସେ ସଙ୍ଗେ ସଙ୍ଗେ ବିଲେଇକୁ ବଞ୍ଚାଇବା ପାଇଁ କୂଅକୁ ଡେଇଁପଡ଼ିଲା। କିନ୍ତୁ ବିଲେଇର ଭାରୀ ଓଜନ ହେତୁ ମାଙ୍କଡ଼ ଏହାକୁ ହାତରେ ଧରି ବାହାର କରିପାରୁ ନ ଥାଏ। ଅନେକ ଚେଷ୍ଟା କରି ମାଙ୍କଡ଼ଟି ଶେଷରେ ହତାଶ ହୋଇଯାଏ। ଠିକ୍‌ ଏହି ସମୟରେ ଜଣେ ଝିଅ କୂଅ ନିକଟକୁ ଆସିଲେ। ଯିଏ କି ମାଙ୍କଡ଼ ସହ ବିଲେଇକୁ ବାହାରକୁ ଆଣିବାରେ ସାହାଯ୍ୟ କରିଥିଲେ।

ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୮ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଜଣେ ୟୁଜର କହିଛନ୍ତି, ଯିଏ ଭିଡିଓ ରେକର୍ଡ କରୁଥିଲେ ସେ ବିଲେଇକୁ କାହିଁକି ଉଦ୍ଧାର କଲେ ନାହିଁ। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ଏଭଳି ଲୋକମାନେ ପଶୁମାନଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ, ସେମାନେ କେବଳ ଭିଡିଓ ଭାଇରାଲ କରିବାକୁ ଚାହୁଁଛନ୍ତି। ଆଉ ଜଣେ କହିଛନ୍ତି, ସେମାନେ ମଣିଷ ହୋଇ ବି ପଶୁ।

Share