ପ୍ରବଳ ଗ୍ରୀଷ୍ମରେ ମୁଗ ଚାଷ ପ୍ରଭାବିତ ଆଶଙ୍କା

ଧର୍ମଶାଳା,୨୧ା୪(ବଟକୃଷ୍ଣ ପରିଡ଼ା):ଚଳିତଥର ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମୁଗ ଚାଷ ଭଲ ହୋଇଛି। ମାତ୍ର ସପ୍ତାହେ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଫୁଲଫଳ ଧରିଥିବା ମୁଗଚାଷ କ୍ଷତିଗ୍ରସ୍ତ ହେବା ନେଇ ଚାଷୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି। ଧର୍ମଶାଳା ବ୍ଲକ ଅଧୀନ ଚହଟା, ଚୋରମୁହଁା, ଭବାନୀପୁର, ବଡ଼କାଏମା, ପାଟପୁର, ମିର୍ଜାପୁର, କ୍ଷେତ୍ରପାଳ, ଜାରକା, ଥାନୁଆଳ, ମଧୁସୁଦନପୁର, ମହିଶରା, ସମ୍ପାରୁ, ଅଣ୍ଟିଆ ଓ ତରଞ୍ଜିଆ ଆଦି ପଞ୍ଚାୟତର ୧୫୦୦ ହେକ୍ଟର ଜମିରେ ମୁଗଚାଷ ପାଇଁ ସରକାରୀ ଭାବେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଧର୍ମଶାଳା କୃଷି ବିଭାଗ ପକ୍ଷରୁ ୨୫୭୩ ଚାଷୀଙ୍କୁ ୨୯୦ କୁଇଣ୍ଟାଲ ମୁଗ ବିହନ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚମାନଙ୍କ ସୁପାରିସ କ୍ରମେ ଦିଆଯାଇଥିଲା। ଚାଷୀମାନଙ୍କୁ ଜୈବ ଓ ଅଣୁସାର ପ୍ରଦାନ କରାଯିବା ସହ ସାର ପ୍ରୟୋଗ ଉପରେ ସଚେତନ କରାଯାଇଥିଲା ବୋଲି ବ୍ଲକ କୃୃଷିଅଧିକାରୀ ତୁସାରକାନ୍ତ ସେଠୀ ସୂଚନା ଦେଇଛନ୍ତି।

ମୁଗ ବିହନ ନେଇଥିବା ପ୍ରମୁଖ ଚାଷୀ ବସନ୍ତ ପରିଡ଼ା, ନିରଞ୍ଜନ ପାଢ଼ୀ, ବୃନ୍ଦାବନ ପରିଡ଼ା, ବିଶ୍ୱନାଥ ମହାପାତ୍ର, ନିରଞ୍ଜନ ନାୟକ, ରମେଶ ପ୍ରଧାନ, ସୁବାସ ନାୟକ, ଜତିନ୍ଦ୍ର ଦେଉରୀ, ସୁବ୍ରତ ମହାପାତ୍ର, ଦେବାଶିଷ ପରିଡା, ଦୀପ୍ତିରଞ୍ଜନ ଜେନା, ଅଭିମନ୍ୟୁ ପ୍ରଧାନ ଓ ନିତ୍ୟାନନ୍ଦ ବେହେରା ପ୍ରମୁଖ ଚାଷୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି ଯେଉଁ ଚାଷୀ ସରକାରୀ ବିହନ ନେଇ ଆଗୁଆ ଚାଷ କରିଥିଲେ ସେମାନେ ଲାଭବାନ ହେବେ। ମାତ୍ର ଯେଉଁ ଚାଷୀ ବିଳମ୍ବରେ ଚାଷ କରିଛନ୍ତି ସେମାନେ ଗ୍ରୀଷ୍ମ ପ୍ରବାହରେ କ୍ଷତିଗ୍ରସ୍ତ ହେବେ। କାରଣ ଏବେ ଗଛରେ ଫୁଲ ଓ ଫଳ ଧରିଥିବାବେଳେ ଗ୍ରୀଷ୍ମ ପ୍ରବାହ ଯୋଗୁ ତାହା ସୁଖି ଯାଉଛି। ଏନେଇ ଚାଷୀମାନେ ବ୍ଲକ କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଯେଉଁ ଚାଷୀମାନେ ବିଳମ୍ବରେ ଚାଷ କରିଛନ୍ତି ଗ୍ରୀଷ୍ମ ପ୍ରବାହ ଯୋଗୁ ସେମାନେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଗ୍ରାମସେବକମାନଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ତଦନ୍ତ କରି ନିର୍ଦ୍ଦେଶ ଦେବାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।