ଅଙ୍ଗନଓ୍ବାଡି କର୍ମୀଙ୍କ ନାମରେ ଉଠିଛି ଟଙ୍କା

କେନ୍ଦୁଝର, ୨୩।୪: (ସ୍ବ.ପ୍ର.) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍‌ ଜଙ୍ଘିରା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅର୍ଥ ହେର୍‌ଫେର କରାଯାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଉନ୍ନୟନମୂଳକ କାମରେ ଆସୁଥିବା ଅର୍ଥକୁ ରାଜନୈତିକ ନେତା ଓ କେତେଜଣ ସରକାରୀ କର୍ମଚାରୀ ମିଳିମିଶି ତୋଷରପାତ କରୁଛନ୍ତି। କାର୍ଯ୍ୟ ନ ହୋଇ ଟଙ୍କା ଉଠିଥିବା ବେଳେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ନାମରେ ମଧ୍ୟ ଟଙ୍କା ଉଠାଯାଇଛି। ଏହାର ତଦନ୍ତ ଦାବିକରି ପଞ୍ଚାୟତବାସୀ ଶୁକ୍ରବାର ଜିଲାପାଳଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି।
ଅଭିଯୋଗ ମୁତାବକ, ୨୦୧୯-୨୦ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପଡ଼ିଆ ଚତ୍ତୁପାର୍ଶ୍ୱ ଉନ୍ନତି କରଣ (ପ୍ଲିଲ୍ଡ ବେଣ୍ଟ) କାମ ହୋଇ ବିଲ୍‌ ହୋଇଥିଲା। ମାତ୍ର ୨୦୨୨-୨୩ରେ ସେହି କାର୍ଯ୍ୟକୁ ଦେଖାଇ ଉଭୟ ଆଇଟିଡିଏ ଓ ପଞ୍ଚାୟତ ଫାଇଲ ଖୋଲି ୬,୩୬,୩୫୬ ଓ ୩,୨୯,୬୭୦ ଟଙ୍କା ବିଲ୍‌ କରି ହେର୍‌ଫେର କରାଯାଇଛି। ସେହିପରି ୨୦୨୨-୨୩ରେ ହାତିବାରୀ ସାହିରେ ଫିଲ୍ଡ ବେଣ୍ଡ ନିର୍ମାଣ, ୨୦୨୦-୨୧ରେ ଆର୍‌ଆଇ ଅଫିସ୍‌ଠାରୁ ରାଧାରମଣ ମନ୍ଦିର ରାସ୍ତାର ଉନ୍ନତୀକରଣ ଓ ଜଙ୍ଘିରା ହାଟର ଆଭ୍ୟନ୍ତରିଣ ରାସ୍ତାକାମ ହୋଇଥିବା ଦର୍ଶାଇ ୩ ଲକ୍ଷ ୧୦ ହଜାର ଟଙ୍କା, ୩ ଲକ୍ଷ ୮୦ ହଜାର ୬୧୦ ଟଙ୍କା ଓ ୪ ଲକ୍ଷ ୩୮ ହଜାର ୮୯୪ ଟଙ୍କା ବିଲ୍‌ କରାଯାଇଛି। ବାସ୍ତବରେ କିନ୍ତୁ କାମ ହୋଇନାହିଁ। ଏହାଛଡ଼ା ପାଟୋଳିକୋଠା ଗ୍ରାମ ପୋଖରୀର ପଙ୍କ ଉଦ୍ଧାର କାମ ସ୍ଥାନୀୟ ଲୋକମାନେ ମିଳିମିଶି କରିଥିବା ବେଳେ ସେବାବଦକୁ ୧ଲକ୍ଷ ୨୪ ହଜାର ୯୮୬ ଟଙ୍କା ବିଲ୍‌ କରାଯାଇ ହେରଫେର କରାଯାଇଥିବା ସେମାନେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ପୂର୍ତ୍ତ ବିଭାଗ ରାସ୍ତାରୁ ଢିପାସାହି ରାସ୍ତାର ଉନ୍ନତୀକରଣ କାମକୁ ମୋ ପୋଖରୀ ଯୋଜନାରେ ଖନନ ହୋଇଥିବା, ୪୦-୫୦ ଟ୍ରିପ୍‌ ଟ୍ରାକ୍ଟରରେ ମାଟି ବୋହି ରାସ୍ତାରେ ପକାଇ ୩ ଲକ୍ଷ ୬ ହଜାର ୩୬୦ ଟଙ୍କା ହେରଫେର କରାଯାଇଛି। ରାସ୍ତା ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ସେହିପରି ଆର୍‌ଡି ରାସ୍ତାରୁ କ୍ରଶର ରୋଡ୍‌ ରାସ୍ତା ନିର୍ମାଣ କରି ୩ ଲକ୍ଷ ୯୪ ହଜାର ୪୨୦ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ଏକ ଘରୋଇ କ୍ରଶର ସଂସ୍ଥା ରାସ୍ତା ବାବଦରେ ଏହି ଅର୍ଥ ଖର୍ଚ୍ଚ ବେଆଇନ ଭାବେ କରି ହେରଫେର କରାଯାଇଥିବା ଅଭିଯୋଗ କରିଛନ୍ତି। ପାଟୋଳିକୋଠା ଗ୍ରାମର ଅଙ୍ଗନଓ୍ବାଡ଼ି କର୍ମୀଙ୍କ ନାମରେ କାମ କରାଯାଇ ଟଙ୍କା ଉଠାଣ ହୋଇଛି। ତେବେ ସେ କେତେବେଳେ ପିଲାଙ୍କୁ ପାଠ ପଢ଼ାଇଲେ ଓ କାମ କଲେ ତାହାର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି। ଏଭଳି ବହୁ ଦୃଷ୍ଟାନ୍ତ ରହିଥିବାରୁ ସବୁ କାମର ତଦନ୍ତ କରିବାକୁ ପୂର୍ଣ୍ଣମୀ ନାଏକ, ଶଶିଭୂଷଣ ବାରିକ, ବୈଲୋଚନ ପରିଡ଼ା ପ୍ରମୁଖ ଲିଖିତ ଦାବିପତ୍ର ଦେଇଛନ୍ତି।