Categories: ଖେଳ

ଆରସିବି ଉପରେ ଟଙ୍କା ବର୍ଷା: ହାରିବା ସତ୍ତ୍ୱେ କୋଟିପତି ହେଲା ଦ୍ୱିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୭ା୩: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ)ର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ରବିବାର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଉଇକେଟରେ ପରାସ୍ତ କରି ଦଳ ଏହାର ପ୍ରଥମ ଟାଇଟଲ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୮.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୧୩ ରନ୍‌ କରିଥିଲା। ଜବାବରେ ଆରସିବି ୩ ବଲ୍‌ ବାକି ଥାଇ ୨ ଉଇକେଟ ହରାଇ ମ୍ୟାଚ୍‌କୁ ଜିତି ନେଇଥିଲା। ଉଭୟ ଆଇପିଏଲ ଓ ଡବ୍ଲ୍ୟୁପିଏଲକୁ ମିଶାଇ ଆରସିବି ୧୬ ବର୍ଷରେ ପ୍ରଥମ ଟ୍ରଫି ହାସଲ କରିଛି।
ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଡବ୍ଲ୍ୟୁପିଏଲର ପ୍ରଥମ ସିଜନରେ ଚାମ୍ପିଅନ ହୋଇଥିବା ଦଳ ପାଇଁ ୬ କୋଟି ଟଙ୍କା ଏବଂ ରନର୍‌ ଅପ ହୋଇଥିବା ଦଳ ପାଇଁ ୩ କୋଟି ଟଙ୍କା ପୁରସ୍କାର ରାଶି ସ୍ଥିର କରିଛି। ଫଳରେ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପୁରସ୍କାର ରାଶି ଭାବରେ ୬ କୋଟି ଟଙ୍କା ଏବଂ ରନର୍‌ ଅପ ଦିଲ୍ଲୀ କ୍ୟାପିଟାଲ୍ସକୁ ପୁରସ୍କାର ରାଶି ଭାବରେ ୩ କୋଟି ଟଙ୍କା ମିଳିଛି। ପ୍ରଥମ ସିଜନରେ ଟାଇଟଲ ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ମଧ୍ୟ ୬ କୋଟି ଟଙ୍କା ମିଳିଥିଲା। ପ୍ରଥମ ସିଜିନ ପରି ଦିଲ୍ଲୀ ଦଳ ମଧ୍ୟ ଦ୍ୱିତୀୟ ଥର ପାଇଁ ରନର୍‌ ଅପ ରହିଲା। ଉଭୟ ସିରିଜ୍‌ରେ ଦିଲ୍ଲୀ ଟାଇଟଲଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଥିଲା।

Share