ଆଦିବାସୀଙ୍କ ନାମରେ ଟଙ୍କା ହଡ଼ପ

ନୀଳଗିରି,  ୧।୭ (ସ୍ବ.ପ୍ର.) ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଆଦିବାସୀଙ୍କ ନାମରେ ଜବକାର୍ଡ଼ ଖୋଲିବା ନାଁରେ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ବରହମପୁର ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଥାନାରେ ୩ଜଣଙ୍କୁ ଅଟକ ରଖାଯାଇ ଅଧିକ ତଦନ୍ତ ଜାରି ରହିଛି।
ପିଠାହତା ପଞ୍ଚାୟତ ସାନନୂଆଗାଁ ଅଞ୍ଚଳର ଉମାକାନ୍ତ ନାୟକ ଲୋକଙ୍କୁ କାଳିଆ ଯୋଜନା, ଏମ୍‌ଜିଏନଆରଇଜିଏସ୍‌, ମୋ ବଗିଚା ଯୋଜନା ଓ ଜବକାର୍ଡ଼ ଜରିଆରେ ସରକାରୀ ଟଙ୍କା କରାଇଦେବେ ବୋଲି କହି ୩୦ରୁ ଊଦ୍ଧର୍‌ବ ଲୋକଙ୍କ ଦସ୍ତଖତ, ଆଧାରକାର୍ଡ଼ ଓ କାଗଜପତ୍ର ନେଇଥିଲେ। ତାଙ୍କ ସହ ସେହି ଅଞ୍ଚଳର ପିଠାହତା ଗାଁର କମଳାକାନ୍ତ ମହାକୁଡ଼ ଏବଂ ଉକ୍ତ ଅଞ୍ଚଳର ତରତରୀଠାରେ ଥିବା କିଓସ୍କ ବ୍ୟାଙ୍କ କରିଥିବା ଉକ୍ତ ଗାଁର ବସନ୍ତ ବେହେରା ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଥିଲା। ସାନନୂଆଗାଁର ଅନ୍ୟ ଲୋକମାନେ ଏମ୍‌ଜିଏନଆରଇଜିଏସ୍‌ ଓ ଅନ୍ୟ ସରକାରୀ ଯୋଜନାରେ ଟଙ୍କା ପାଇଥିବା ବେଳେ ଉକ୍ତ ଗାଁର ୩୦ରୁ ଊଦ୍ଧର୍‌ବ ଲୋକ କୌଣସି ସରକାରୀ ସହାୟତା ପାଇ ନ ଥିଲେ। ଏଥିରେ ସେମାନଙ୍କର ସନ୍ଦେହ ହେବାରୁ ଅଞ୍ଚଳବାସୀ ସତ୍ୟାସତ୍ୟ ଜାଣିବା ପାଇଁ ନୀଳଗିରି ବ୍ଲକକୁ ଆସି ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇଥିବା ଜାଣିବାକୁ ପାଇଥିଲେ। ଉପରୋକ୍ତ ୩ଜଣ ମିଶି ଲକ୍ଷ ଲକ୍ଷ ଲକ୍ଷ ଟଙ୍କା ହଡପ କରି ନେଇଥିବା ଜଣାପଡ଼ିଥିଲା। ଏନେଇ ଅଞ୍ଚଳବାସୀ ବରହମପୁର ଥାନାରେ ଦ୍ୱାରସ୍ଥ ହେବା ପରେ ଥାନା ଓଆଇସି ହେମନ୍ତ ମାଝି ଠକେଇ ମାମଲା ରୁଜୁ କରି ଏହି ଘଟଣାରେ ସମ୍ପୃକ୍ତ କମଳାକାନ୍ତ ମହାକୁଡ଼, ଉମାକାନ୍ତ ନାୟକ ଓ ବସନ୍ତ ବେହେରାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।