ମଧ୍ୟାହ୍ନଭୋଜନ ବାକିରେ ଚାଲିଛି

ରାଜନଗର,୨୯ା୩(ଡି.ଏନ.ଏ.): ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ବିଦ୍ୟାଳୟରେ ପାଠ ପଢୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ସରକାର ମଧ୍ୟାହ୍ନଭୋଜନ ଯୋଗାଇ ଦେଉଛନ୍ତି। ସରକାର ବିଦ୍ୟାଳୟ ପଏଣ୍ଟରେ ଚାଉଳ ପହଞ୍ଚାଇ ଦେଉଥିବା ବେଳେ ଦାୟିତ୍ୱରେ ଥିବା ଶିକ୍ଷକ ସ୍ଥାନୀୟ ବଜାରରୁ ଅଣ୍ଡା, ଡାଲି, ପରିବା, ଆଳୁ ଓ ଅନ୍ୟ ସାମଗ୍ରୀ କିଣି ରୋଷେଇ କରି ଛାତ୍ରୀଛାତ୍ରମାନଙ୍କୁ ଖାଇବାକୁ ଦେଇଥାନ୍ତି। କେଉଁ ବିଦ୍ୟାଳୟରେ ଯଦି କେଉଁଦିନ ରୋଷେଇ ବନ୍ଦ ଥାଏ, ତେବେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ହୁଏ। ମାତ୍ର କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ ସରକାର ଏହି ମଧ୍ୟାହ୍ନ ଭୋଜନ ପାଇଁ ମାସେ କି ଦୁଇ ମାସ ନୁହେଁ, ୭ ମାସ ହେଲା ଟଙ୍କା ଯୋଗାଇ ଦେଇନାହାନ୍ତି। ବିଦ୍ୟାଳୟକୁ ପରିବା, ଅଣ୍ଡା ଓ ଅନ୍ୟ ସାମଗ୍ରୀ ଦେଉଥିବା ବ୍ୟବସାୟୀମାନେ ସାମଗ୍ରୀ ଦେବାକୁ ବି ମନା କରି ଦେଲେଣି। ବାରମ୍ବାର ଏ ସମ୍ପର୍କରେ ଶିକ୍ଷକମାନେ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇବା ପରେ ବି ଟଙ୍କା ପାଇଲେ ନାହିଁ। ଗତ ସେପ୍ଟେମ୍ବର ୨୦୨୨ରୁ ମାର୍ଚ୍ଚ ୨୦୨୩ ଯାଏ ୭ ମାସ ହେଲା ମଧ୍ୟାହ୍ନ ଭୋଜନ ଅର୍ଥ ମିଳିନି। ଶିକ୍ଷକମାନେ ବାକିରେ ମଧ୍ୟାହ୍ନ ଭୋଜନ ଚଳାଉଥିବା ବେଳେ ଟଙ୍କା ନ ଦେଇ ମଧ୍ୟାହ୍ନଭୋଜନ ଅଡିଟ ପାଇଁ ତାରିଖ ନିର୍ଦ୍ଧାରଣ ପରେ ଶିକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମଙ୍ଗଳବାର ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ବିଜୟ କୁମାର ଜେନା, ସୁଶାନ୍ତ କୁମାର ପ୍ରଧାନ, ଦୟାନିଧି ସ୍ବାଇଁ, ଦାମୋଦର ସ୍ବାଇଁ, ଚିତ୍ତ ରଞ୍ଜନ ସାହୁ, ପରେଶ କୁମାର ସାହୁ ପ୍ରମୁଖ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଶିକ୍ଷାଧିକାରୀ ମନୋରଞ୍ଜନ ସେଠୀଙ୍କ ସହ ଶିକ୍ଷକମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଆସନ୍ତା ୭ ଦିନ ଭିତରେ ମଧ୍ୟାହ୍ନ ଭୋଜନ ଅର୍ଥ ନ ମିଳିଲେ ଏପ୍ରିଲ ୩ ତାରିଖ ଦିନ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକମାନେ ଧାରଣାରେ ବସିବେ ବୋଲି ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।