ବିନା ଚାକିରିରେ ୧୫ ବର୍ଷ ଧରି ଆକାଉଣ୍ଟକୁ ଆସୁଥିଲା ଟଙ୍କା, ଜଣା ପଡ଼ିବାରୁ…

ରୋମ,୨୬।୪: ଚାକିରି କରୁଥିବା ଲୋକ ସବୁବେଳେ ଭାବିଥାନ୍ତି ଯେତେ ପରିଶ୍ରମ କରୁଛନ୍ତି ସେହି ଅନୁଯାୟୀ ତାଙ୍କୁ ଦରମା ମିଳୁ। ମାତ୍ର କିଛି ଲୋକ ନିଜ ଦରମାକୁ ନେଇ ସନ୍ତୁଷ୍ଟ ନ ହୋଇ ଆଉ କିଛି ଇଚ୍ଛା ରଖିଥାନ୍ତି, ଯେମିତି କି ତାଙ୍କ ଦରମା ବଢ଼ିଯାଉ। ଠିକ୍‌ ସେମିତି ଇଟାଲୀରୁ ଏକ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୧୫ ବର୍ଷ ଧରି କାମ ନ କରି ଘରେ ବସିବସି ଦରମା ପାଇଚାଲିଥିଲେ। ପରେ ଜଣାପଡ଼ିଲା ଘଟଣା। ଜାଣନ୍ତୁ ଏ ସମ୍ପର୍କରେ…

ଏକ ରିପୋର୍ଟ ଅନୁଯାୟୀ, ଇଟାଲୀର ମେଡିକାଲ ବିଭାଗରେ କାମ କରୁଥିବା ଜଣେ ବ୍ୟକ୍ତି ଗତ ୧୫ ବର୍ଷ ତଳୁ ନିଜ ଡ୍ୟୁଟିକୁ ଆସୁ ନ ଥିଲେ। ମାତ୍ର ଏହି ୧୫ ବର୍ଷ ଧରି ପ୍ରତି ମାସରେ ତାଙ୍କ ଆକାଉଣ୍ଟକୁ ଦରମା ଟଙ୍କା ଆସୁଥିଲା। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେତେବେଳେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଲା ସେତେବେଳେ ତାଙ୍କ ନାମରେ ଅର୍ଥ ହଡ଼ପ ମାମଲା ରୁଜୁ କରାଯାଇଛି।

୨୦୦୫ରେ ଅଭିଯୁକ୍ତ ଏବଂ ତାଙ୍କ ବିଭାଗର ମ୍ୟାନେଜର ସହ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ସେ ମ୍ୟାନେଜରଙ୍କୁ ଧମକ ବି ଦେଇଥିଲେ। ଏହାର କିଛିଦିନ ପରେ ମ୍ୟାନେଜର ଅବସର ନେଇଥିଲେ। ଅଭିଯୁକ୍ତ ଇତିମଧ୍ୟରେ ଅଫିସରେ ଅନୁପସ୍ଥିତ ରହିଲେ। ଏମିତି ଏମିତି ୧୫ ବର୍ଷ ବିତିଗଲା। ମାତ୍ର ଦରମା ଆସିବାରେ ଆଦୌ ଅବହେଳା ହୋଇନି।

ପୋଲିସ ଯାଞ୍ଚ ସମୟରେ ଜାଣିବାକୁ ପାଇଲା ଯେ, ଅଭିଯୁକ୍ତ ଜଣକ ପବ୍ଲିକ ସେକ୍ଟରରେ ଏତେଦିନ ଲମ୍ବା ଛୁଟି ଏବଂ ଦରମା ପାଇ ରେକର୍ଡ ସୃଷ୍ଟି କରିଛନ୍ତି। ୧୫ ବର୍ଷରେ ସେ ୫.୩୮ ଲକ୍ଷ ୟୁରୋ ଅର୍ଥାତ ଭାରତୀୟ ମୁଦ୍ରାରେ ୪.୮ କୋଟି ଟଙ୍କା ନେଇସାରିଛନ୍ତି। ଏହି ବ୍ୟକ୍ତିଙ୍କ ବୟସ ୬୭ ବର୍ଷ। ଏହି ଘଟଣା ଜଣାପଡ଼ିବା ପରେ ବିଭାଗର ବହୁ ବଡ଼ ଅଧିକାରୀଙ୍କ ହୋସ୍‌ ଉଡ଼ିଯାଇଛି। ଏଥିରେ ଆଉ ୬ ଜଣ ମ୍ୟାନେଜର ସାମିଲ ଥିଲେ। ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Share