୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା ଖୋର୍ଦ୍ଧା ସହରର ତଳ ସାହି ଅଞ୍ଚଳର ମୋନାଲି ବେହେରାଙ୍କୁ (୨୪) ଯୌତୁକ ନିର୍ଯାତନାରେ ହତ୍ୟା କରିଥିବା ତାଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ବଡ଼ ଭଉଣୀ ଶିଳ୍ପା ବେହେରା ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶର ଗ୍ରାମର ତନ୍ମୟ ଟହଲ ତାଙ୍କ ପ୍ରେମିକା ମୋନାଲି ବେହେରା (୨୪)ଙ୍କୁ ତିନି ମାସ ତଳେ ବିବାହ କରିଥିଲେ। ଦୁହେଁ ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଗ୍ରାମରେ ଏକ ଭଡା ଘରେ ରହୁଥିଲେ। କିନ୍ତୁ ଶିଳ୍ପାଙ୍କ ଅଭିଯୋଗ ଅନୁସାରେ ଇତିମଧ୍ୟରେ ମୋନାଲିଙ୍କୁ ତାଙ୍କ ଶାଶୁ, ଶ୍ୱଶୁର, ସାମୀ, ଦିଅର, ନଣନ୍ଦ ଓ ମାଉସୀ ଶାଶୁ ମିଶି ଯୌତୁକ ଆଣିବା ପାଇଁ ବାଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ମୋନାଲିଙ୍କ ସବୁ ସୁନାଗହଣା ଲୁଚାଇ ଦେଇ ତାଙ୍କୁ ଘରୁ ତଡ଼ି ଦେବା ମଧ୍ୟ ଶିଳ୍ପା ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଗତ ମେ ୨୮ ଦିନ ସକାଳେ ମୋନାଲିଙ୍କ ଶାଶୁ ଶିଳ୍ପାଙ୍କୁ ଫୋନ କରି ତାଙ୍କ ଭଉଣୀ ପାଣିରେ ବୁଡି ଆତ୍ମହତ୍ୟା କରିଥିବା କହିଥିଲେ। ଘଟଣାଟି ସନ୍ଦେହଜନକ ହୋଇଥିବାରୁ ଶିଳ୍ପା ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କାରଣ ଶିଳ୍ପାଙ୍କ କହିବା ଅନୁଯାୟୀ, ତାଙ୍କ ଭଉଣୀ ତାଙ୍କୁ ଦିଆଯାଉଥିବା ନିର୍ଯାତନା ବିଷୟରେ ଫୋନ ଯୋଗେ ପୂର୍ବରୁ ଅବଗତ କରାଇଥିଲେ।
ଏନେଇ ସିଏ ରମ୍ଭା ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ କେସ ନଂ ୩୩୯/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତକୁ ତ୍ୱରାନ୍ବିତ କରିବା ପାଇଁ ଶିଳ୍ପା ଓ ତାଙ୍କ ବାପା ଘର ଲୋକେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଉପଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 

Share