ଅବସର ନେଲେ ମୋନା ଶର୍ମା, ନିକୁଞ୍ଜ ସୁନ୍ଦରାୟ

ଭୁବନେଶ୍ବର, ୧ା୪(ବ୍ୟୁରୋ): ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ୨ ଅଧିକାରୀ ତଥା ବରିଷ୍ଠ ଆଇଏଏସ୍‌ ଅଫିସର ମୋନା ଶର୍ମା ଓ ନିକୁଞ୍ଜ ସୁନ୍ଦରାୟ ଶୁକ୍ରବାର ସରକାରୀ ଚାକିରିରୁ ଅବସର ନେଇଛନ୍ତି। ମୋନା ଶର୍ମା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବାବେଳେ ନିକୁଞ୍ଜ ସୁନ୍ଦରାୟ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିଲେ। ଏହି ୨ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କ ଅବସର ପରେ ରାଜ୍ୟ ସରକାର ଆଇଏଏସ୍‌ ଅଫିସର ସତ୍ୟବ୍ରତ ସାହୁ ଓ ଚିତ୍ରା ଅରୁମୁଗମ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୧ ବ୍ୟାଚ୍‌ ବରିଷ୍ଠ ଆଇଏଏସ୍‌ ଅଫିସର ସତ୍ୟବ୍ରତ ସାହୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସତ୍ୟବ୍ରତ ସାହୁ ଏବେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହାସହ ସେ ଅତିରିକ୍ତ ଦାୟିତ୍ୱ ଭାବେ ସ୍ବତନ୍ତ୍ର ରିଲିଫ କମିଶନର ଓ ରାଜ୍ୟ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଚିତ୍ରା ଅରୁମୁଗମ ଏବେ ଯୋଜନା ଓ ସଂଯୋଜନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଅତିରିକ୍ତ ଭାବେ ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ନ୍ୟସ୍ତ କରାଗଲା।