ମାଗଣା ହେଲା ମଲିକ୍ୟୁଲାର ପରୀକ୍ଷା

ଭୁବନେଶ୍ୱର, ୩୧।୩(ବ୍ୟୁରୋ):କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ରାଜ୍ୟ ସରକାର ଆଉଏକ ବଡ ପଦକ୍ଷେପ ନେଇଛନ୍ତି। ଏଣିକି ଟ୍ୟୁମରର ମଲିକ୍ୟୁଲାର ପରୀକ୍ଷାକୁ ମାଗଣାରେ କରାଯିବ। ‘ନିଦାନ’ ଯୋଜନା ମାଧ୍ୟମରେ ଜନସାଧାରଣ ଏହାର ସୁବିଧା ପାଇବେ ଓ ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଗୁରୁବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଏକ ଘରୋଇ ସଂସ୍ଥା ‘ଇନ୍‌ ଡିଏନ୍‌ଏ ଲାବରେଟୋରି’ ସହିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେଶନ ଲିମିଟେଡ୍‌(ଓଏସ୍‌ଏମ୍‌ସିଏଲ୍‌) ପକ୍ଷରୁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଏହି ଲାବରେଟୋରି ଚୟନ ହୋଇଛି। ଅପରପକ୍ଷେ ଗୁରୁବାରଠାରୁ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ରେ ମଲିକ୍ୟୁଲାର ଟେଷ୍ଟ ଆରମ୍ଭ ହୋଇଛି। ଓଏସ୍‌ଏମ୍‌ସିଏଲ୍‌ ଓ ଇନ୍‌ ଡିଏନ୍‌ଏ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଖୁବ୍‌ଶୀଘ୍ର କ୍ୟାପିଟାଲ ହସ୍ପିଟାଲ, ଏସ୍‌ସିବି, ଏମ୍‌କେସିଜି, ଭିମ୍‌ସାର୍‌, ପିଏଆର୍‌ଏମ୍‌ଏମ୍‌ସିଏଚ୍‌, ଏଫ୍‌ଏମ୍‌ଏମ୍‌ସିଏଚ୍‌, ବିବିଏମ୍‌ସିଏଚ୍‌, ଏସ୍‌ଏଲ୍‌ଏନ୍‌ଏମ୍‌ସିଏଚ୍‌ ଏବଂ ରାଉରକେଲା ଆର୍‌ଜିଏଚ୍‌ ହସ୍ପିଟାଲ୍‌ଗୁଡିକରେ ଏହି ସୁବିଧା ଉପଲବ୍ଧ ହେବ। ଏହି ହସ୍ପିଟାଲଗୁଡିକରୁ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରର ଇନ୍‌ ଡିଏନ୍‌ଏ ଲାବରେଟୋରିରେ ପରୀକ୍ଷା କରାଯିବ ଏବଂ ରିପୋର୍ଟଗୁଡିକ ପୁନର୍ବାର ସମ୍ପୃକ୍ତ ହସ୍ପିଟାଲରେ ଦାଖଲ କରାଯିବ। ଟ୍ୟୁମରର ମଲିକ୍ୟୁଲାର ପରୀକ୍ଷା କର୍କଟ ଚିକିତ୍ସା କ୍ଷେତ୍ରରେ ହେଉଥିବା ପରୀକ୍ଷଣର ଏକ ଉନ୍ନତ ସଂସ୍କରଣ। ଏହା ଟ୍ୟୁମର ବାୟୋଲୋଜିକୁ ବୁଝିବାରେ ସହାୟକ ହୋଇଥାଏ ଏବଂ ଚିକିତ୍ସା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ତେବେ ଏହି ପରୀକ୍ଷା ବ୍ୟୟବହୁଳ ହୋଇଥିବାରୁ ଅନେକ ସମୟରେ ରୋଗୀମାନେ ଠିକ୍‌ ସମୟରେ ଏହାକୁ କରି ନ ଥାନ୍ତି। ଫଳରେ ସଂକ୍ରମଣ ବଢିଯାଏ। ମାତ୍ର ଏବେ ମଲିକ୍ୟୁଲାର ପରୀକ୍ଷା ମାଗଣାରେ ହେବାଦ୍ୱାରା କର୍କଟ ରୋଗୀଙ୍କ ଚିକିତ୍ସାରେ ବଡ ପରିବର୍ତ୍ତନ ବା ସଫଳତା ମିଳିପାରିବ ବୋଲି ଆଶା କରାଯାଉଛି।