ରବିନ୍ଦ୍ର ଜାଡେଜାଙ୍କୁ ଖୋଜିଥିବା କୋଚ୍‌ଙ୍କଠାରୁ ଶିଖିଥିଲେ କ୍ରିକେଟ, ଏବେ ପାକିସ୍ତାନଠାରୁ ବିଜୟ ଛଡ଼ାଇ ଆଣି ଚର୍ଚ୍ଚାରେ Mohit Ulva

ନୂଆଦିଲ୍ଲୀ,୧୪।୧୧: ଭାରତ ଏବଂ ପାକିସ୍ତାନ କ୍ରିକେଟ୍ କହିଲେ ସାଧାରଣତଃ ସିନିୟର୍ ପୁରୁଷ କ୍ରିକେଟ୍ ଦଳର ମୁକାବିଲାକୁ ବୁଝାଯାଏ, କିନ୍ତୁ ଆଗାମୀ ଦିନରେ ଅଣ୍ଡର-୧୯ ଏସିଆ କପ୍ ୨୦୨୬ର ଫାଇନାଲ୍ ମଧ୍ୟ ସବୁବେଳେ ସ୍ମରଣୀୟ ହୋଇରହିବ। ଓମାନରେ ଅନୁଷ୍ଠିତ ଏହି ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ଭାରତୀୟ ଦଳ ଶେଷ ବଲ୍‌ରେ ୩୩୮ ରନ୍‌ର ବିଶ୍ୱାସଜନକ ଲକ୍ଷ୍ୟକୁ ହାସଲ କରି ନେବା ସହ ୧ ଉଇକେଟ୍‌ରେ ଏକ ଐତିହାସିକ ବିଜୟ ହାସଲ କରିଛି। ଭାରତୀୟ ଦଳର ଏହି ଅବିଶ୍ୱସନୀୟ ବିଜୟର ମୁଖ୍ୟ ନାୟକ ସାଜିଥିଲେ ୧୦ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ମୋହିତ ଉଲ୍ବା, ଯିଏକି ଦଳର ନିଶ୍ଚିତ ପରାଜୟକୁ ବିଜୟରେ ପରିଣତ କରିଥିଲେ।

ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଦଳ ନିର୍ଦ୍ଧାରିତ ଓଭରରେ ୩୩୭ ରନ୍‌ର ବିଶ୍ୱାସଜନକ ସ୍କୋର ଛିଡ଼ା କରିଥିଲା। ଏହାର ଜବାବରେ ଭାରତୀୟ ଦଳ ଭଲ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟକ୍ରମରେ କ୍ରମାଗତ ଭାବେ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ୪୧.୩ ଓଭରରେ ଦଳର ସ୍କୋର ୮ ଉଇକେଟ୍‌ ବିନିମୟରେ ୨୫୨ ରନ୍ ଥିଲା ଏବଂ ଦଳର ପରାଜୟ ଏକପ୍ରକାର ନିଶ୍ଚିତ ଜଣାପଡୁଥିଲା। ମାତ୍ର ୭ ନମ୍ବର ବ୍ୟାଟ୍‌ସମ୍ୟାନ୍ ମନଲ ଚୌହ୍ୱାନ ଏବଂ ୧୦ ନମ୍ବରରେ କ୍ରିଜ୍‌କୁ ଆସିଥିବା ମୋହିତ ଉଲ୍ବା ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ମନଲ ଆଉଟ୍ ହେବା ପରେ ମଧ୍ୟ ମୋହିତ ଅଟକି ନ ଥିଲେ ଏବଂ ଶେଷ ବଲ୍‌ରେ ଜିତିବା ପାଇଁ ୩ ରନ୍ ଆବଶ୍ୟକ ଥିବାବେଳେ ଚୌକା ମାରି ଭାରତକୁ ଚାମ୍ପିଅନ୍ କରାଇଥିଲେ।

ଦଳରେ ଜଣେ ଦ୍ରୁତ ବୋଲର ଭାବେ ଖେଳୁଥିବା ମୋହିତ ଏହି ଫାଇନାଲ୍ ମ୍ୟାଚ୍‌ରେ ବୋଲିଂରେ ବିଶେଷ ପ୍ରଭାବ ପକାଇ ପାରିନଥିଲେ ଏବଂ ୮ ଓଭରରେ ୫୭ ରନ୍ ଦେଇ କୌଣସି ଉଇକେଟ୍‌ ପାଇ ନଥିଲେ। ମାତ୍ର ବ୍ୟାଟିଂରେ କମାଲ୍ କରି ସେ ମାତ୍ର ୨୮ ବଲ୍‌ରୁ ଅପରାଜୟ ୪୯ ରନ୍‌ର ଏକ ମ୍ୟାଚ୍ ଜିତାଉ ପାଳି ଖେଳିଥିଲେ। ଏହି ପ୍ରଦର୍ଶନ ଜରିଆରେ ସେ ଜଣେ ଭଲ ଅଲ୍‌ରାଉଣ୍ଡର ହେବାର ଯୋଗ୍ୟତା ପ୍ରମାଣିତ କରିଛନ୍ତି। ବିଶେଷକରି ମୋହିତ ଏବଂ ଭାରତୀୟ କ୍ରିକେଟ୍ ଦଳର ବିଶ୍ୱକାଳୀନ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ଏକ ବିଶେଷ ସଂଯୋଗ ରହିଛି। ଗୁଜରାଟର ସୁନ୍ଦରନଗରରେ ଆରପିଏଫ୍ (RPF) ଜବାନଙ୍କ ପୁଅ ମୋହିତ ଜାମନଗରର ପ୍ରସିଦ୍ଧ ‘କ୍ରିକେଟ୍ ବଙ୍ଗଳା’ ଏକାଡେମୀରୁ କୋଚ୍ ମହେନ୍ଦ୍ରସିଂହ ଚୌହ୍ୱାନଙ୍କଠାରୁ କ୍ରିକେଟ୍ ଶିକ୍ଷାଲାଭ କରିଛନ୍ତି, ଯିଏକି ପୂର୍ବରୁ ରବୀନ୍ଦ୍ର ଜାଡେଜାଙ୍କ ପ୍ରତିଭାକୁ ମଧ୍ୟ ଲୋକଲୋଚନକୁ ଆଣିଥିଲେ।

କୋଚ୍ ଚୌହ୍ୱାନଙ୍କ ପରାମର୍ଶକ୍ରମେ ମୋହିତ ଜଣେ ଅଫ୍ ସ୍ପିନରରୁ ଦ୍ରୁତ ବୋଲରରେ ପରିଣତ ହୋଇଥିଲେ ଏବଂ ଫିଟ୍‌ନେସ୍ ଉପରେ କଠିନ ପରିଶ୍ରମ କରିଥିଲେ। ଅଷ୍ଟ୍ରେଲିୟ ଅଧିନାୟକ ପାଟ୍ କମିନ୍ସଙ୍କୁ ନିଜର ଆଦର୍ଶ ମାନୁଥିବା ମୋହିତ ସୌରାଷ୍ଟ୍ର ପାଇଁ ଏଜ୍-ଗ୍ରୁପ୍ କ୍ରିକେଟ୍ ଖେଳିବା ପରେ ଏବେ ଅଣ୍ଡର-୧୯ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଚଳିତ ଏସିଆ କପ୍‌ରେ ବୋଲିଂରେ ଅଧିକ ସଫଳତା ପାଇ ନଥିଲେ ମଧ୍ୟ, ଦଳକୁ ଯେତେବେଳେ ସବୁଠାରୁ ଅଧିକ ଆବଶ୍ୟକତା ଥିଲା, ସେତେବେଳେ ସେ ନିଜର ବ୍ୟାଟିଂ ପରାକ୍ରମ ଦେଖାଇ ଭାରତକୁ ଚାମ୍ପିଅନ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

Dharitri – Odisha’s No.1 Odia Daily

Share