ମହମ୍ମଦ ଶାମି ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌: ଜାଣନ୍ତୁ କେତେ କୋଟିର ମାଲିକ ଏହି ଷ୍ଟାର୍‌ ପେସର୍‌

ନୂଆଦିଲ୍ଲୀ,୭।୧୧:ଭାରତୀୟ କ୍ରିକେଟ୍‌ର ଅନ୍ୟତମ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ ଦିନ ଧରି ଭାରତୀୟ ଟେଷ୍ଟ ଦଳକୁ ଫେରିବା ପାଇଁ ଉଦ୍ୟମ କରୁଥିବା ଶାମି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକରେ ଏକ ଲମ୍ବା ପୋଷ୍ଟ ଲେଖି ନିଜ ନିଷ୍ପତ୍ତି ଜଣାଇଛନ୍ତି। ତାଙ୍କ ଅବସର ଘୋଷଣା ପରେ କ୍ରିକେଟ ଜଗତରେ ଚର୍ଚ୍ଚା ଜୋର୍‌ ଧରିଛି।
ମହମ୍ମଦ ଶାମିଙ୍କ ଆନୁମାନିକ ନେଟୱର୍ଥ ୪୭ କୋଟିରୁ ୫୫ କୋଟି ଟଙ୍କା ମଧ୍ୟରେ ରହିଛି। ତାଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି ବିସିସିଆଇର କେନ୍ଦ୍ରୀୟ ଚୁକ୍ତି, ଅନ୍ତର୍ଜାତୀୟ ମ୍ୟାଚ ଫିସ ଏବଂ ଆଇପିଏଲ। ଏହା ବ୍ୟତୀତ ବିଜ୍ଞାପନ ଓ ଅନ୍ୟାନ୍ୟ ବାଣିଜି୍ୟକ କାର୍ଯ୍ୟରୁ ମଧ୍ୟ ସେ ଆୟ କରିଛନ୍ତି। ବିସିସିଆଇର ମ୍ୟାଚ ଫିସ ବ୍ୟବସ୍ଥା ଅନୁସାରେ, ଜଣେ ଖେଳାଳିଙ୍କୁ ପ୍ରତି ଟେଷ୍ଟ ମ୍ୟାଚ ପାଇଁ ୧୫ ଲକ୍ଷ ଟଙ୍କା ମିଳିଥାଏ। ଶାମି ନିଜ ଟେଷ୍ଟ କ୍ୟାରିୟରରେ ୬୪ଟି ମ୍ୟାଚ ଖେଳିଛନ୍ତି। ହାରାହାରି ୧୫ ଲକ୍ଷ ଟଙ୍କା ହିସାବରେ ତାଙ୍କ ଟେଷ୍ଟ ମ୍ୟାଚ ଫିସ୍‌ରୁ ଆୟ ପ୍ରାୟ ୯.୬ କୋଟି ଟଙ୍କା ହେବ।

ବିସିସିଆଇ ନିଜର ଚୁକ୍ତିବଦ୍ଧ ଖେଳାଳିଙ୍କୁ ଗ୍ରେଡ ଅନୁସାରେ ବାର୍ଷିକ ରିଟେନର୍‌ ରାଶି ପ୍ରଦାନ କରିଥାଏ। ଶାମିଙ୍କ ଚୁକ୍ତି କ୍ୟାରିୟରର ବିଭିନ୍ନ ସମୟରେ ଗ୍ରେଡ ବି ଓ ଗ୍ରେଡ ସିରେ ରହିଥିଲା। ୨୦୧୮ରେ ପାରିବାରିକ ଓ ଆଇନଗତ ବିବାଦ ଯୋଗୁ ତାଙ୍କ ଚୁକ୍ତି କିଛି ସମୟ ପାଇଁ ସ୍ଥଗିତ ରହିଥିଲା। ପରେ ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ୍ରୁ କ୍ଲିନ ଚିଟ ମିଳିବା ପରେ ସେ ବାର୍ଷିକ ୩ କୋଟି ଟଙ୍କାର ଗ୍ରେଡ ବି ଚୁକ୍ତିକୁ ଫେରିଥିଲେ। ବିଭିନ୍ନ ବର୍ଷର ଚୁକ୍ତି ଓ ଗ୍ରେଡ୍କୁ ଆଧାର କରି କିଛି ଆକଳନରେ ବିସିସିଆଇର ବାର୍ଷିକ ରିଟେନର୍ରୁ ଶାମିଙ୍କ ମୋଟ ଆୟ ୩୮ରୁ ୪୨ କୋଟି ଟଙ୍କା ମଧ୍ୟରେ ଥିବା କୁହାଯାଇଛି।

ଆଇପିଏଲ୍‌ରେ ମଧ୍ୟ ଶାମିଙ୍କ ଚାହିଦା ରହିଛି। ସେ ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍ସ, ଗୁଜରାଟ ଟାଇଟନ୍ସ, ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ଭଳି ଦଳ ପକ୍ଷରୁ ଖେଳିଛନ୍ତି। ବିଭିନ୍ନ ଆଇପିଏଲ ଚୁକ୍ତିରୁ ତାଙ୍କ ଆୟ ୫୦ କୋଟି ଟଙ୍କାରୁ ଅଧିକ ବୋଲି ରିପୋର୍ଟରେ ଦାବି କରାଯାଇଛି।

ଟେଷ୍ଟ କ୍ରିକେଟ୍‌ରୁ ଅବସର ପରେ ଶାମିଙ୍କ ଭବିଷ୍ୟତ କ୍ରିକେଟ ଯୋଜନାକୁ ନେଇ ଆଲୋଚନା ଚାଲିଛି। ତେବେ ତାଙ୍କ ଆର୍ଥିକ ସମ୍ପତ୍ତିର ସଠିକ ହିସାବ ସାର୍ବଜନୀନ ଭାବେ ଉପଲବ୍ଧ ନ ଥିବାରୁ ୪୭ରୁ ୫୫ କୋଟି ଟଙ୍କାର ନେଟୱର୍ଥକୁ ଆନୁମାନିକ ଆକଳନ ଭାବେ ଦେଖିବା ଉଚିତ।

 

Dharitri – Odisha’s No.1 Odia Daily

 

Share