ନୂଆଦିଲ୍ଲୀ,୨୬।୧୧: ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬ରେ ଚମତ୍କାର ବ୍ୟାଟିଂ କରିଛନ୍ତି କେରଳର ଓପନର ମହମ୍ମଦ ଆଜହରୁଦ୍ଦିନ। ହିମାଚଳ ପ୍ରଦେଶ ବିପକ୍ଷ ମ୍ୟାଚ୍ରେ ସେ ମାତ୍ର ୫୭ଟି ବଲ୍ରୁ ଶତକ ହାସଲ କରିଛନ୍ତି। ତାଙ୍କ ବିସ୍ଫୋରକ ଇନିଂସ ଯୋଗୁ କେରଳର ସ୍କୋର ଦ୍ରୁତଗତିରେ ଆଗକୁ ବଢ଼ିଥିଲା। ଟସ ଜିତି କେରଳ ପକ୍ଷରୁ ଇନିଂସ ଆରମ୍ଭ କରିଥିବା ଆଜହରୁଦ୍ଦିନ ୫୭ଟି ବଲ୍ର ସାମ୍ନା କରି ୧୭୭.୧୯ ଷ୍ଟ୍ରାଇକ ରେଟ୍ରେ ୧୦୧ ରନ କରିଥିଲେ। ତାଙ୍କ ଇନିଂସ୍ରେ ୮ଟି ଚୌକା ଓ ୬ଟି ଛକା ସାମିଲ ଥିଲା। ଆଜହରୁଦ୍ଦିନଙ୍କ ଏହି ଆକ୍ରମଣାତ୍ମକ ଇନିଂସ୍ର ଅନ୍ତ ଘଟାଇଥିଲେ ହିମାଚଳ ପ୍ରଦେଶର ବୋଲର ଆର୍ଯ୍ୟମନ ସିଂହ। ମ୍ୟାଚ୍ର ୧୯ତମ ଓଭର ବୋଲିଂ କରିବାକୁ ଆସିଥିବା ଆର୍ଯ୍ୟମନ ଦ୍ୱିତୀୟ ବଲ୍ରେ ଆଜହରୁଦ୍ଦିନଙ୍କୁ ବୋଲ୍ଡ କରିଥିଲେ। ସେ ଆଉଟ ହେବା ବେଳକୁ କେରଳ ୧୮.୨ ଓଭରରେ ୪ଟି ଉଇକେଟ ହରାଇ ୨୩୦ ରନ କରିଥିଲା। ଦଳ ପକ୍ଷରୁ ଚତୁର୍ଥ ବ୍ୟାଟର ଭାବେ ଆଜହରୁଦ୍ଦିନ ପ୍ୟାଭିଲିୟନ ଫେରିଥିଲେ।
ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଆଜହରୁଦ୍ଦିନଙ୍କ ବ୍ୟାଟ୍ରୁ କ୍ରମାଗତ ଭାବେ ବଡ଼ ସ୍କୋର ଦେଖିବାକୁ ମିଳୁଛି। ଗତ ୩ଟି ଇନିଂସ୍ରେ ସେ ମୋଟ ୨୭୨ ରନ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି। ହିମାଚଳ ପ୍ରଦେଶ ବିପକ୍ଷରେ ଶତକ ହାସଲ କରିବା ପୂର୍ବରୁ ସେ ଆସାମ ବିପକ୍ଷରେ ଅପରାଜିତ ୯୩ ରନ ଏବଂ ପୁଡୁଚେରୀ ବିପକ୍ଷରେ ୭୮ ରନର ଇନିଂସ ଖେଳିଥିଲେ। ତାଙ୍କର ଏହି ଲଗାତାର ଭଲ ପ୍ରଦର୍ଶନ କେରଳ ଦଳ ପାଇଁ ଏକ ବଡ଼ ଶକ୍ତି ହୋଇଛି।
ଘରୋଇ କ୍ରିକେଟ୍ରେ ଅଜହରୁଦ୍ଦିନଙ୍କ ଏଭଳି ଦମ୍ଦାର ଫର୍ମ ଆଗାମୀ ଆଇପିଏଲ ନିଲାମରେ ତାଙ୍କ ଚାହିଦା ବଢ଼ାଇପାରେ। ସେ କେବଳ ଜଣେ ଆକ୍ରମଣାତ୍ମକ ବ୍ୟାଟର ନୁହନ୍ତି, ବରଂ ଜଣେ ଦକ୍ଷ ଉଇକେଟ୍କିପର ମଧ୍ୟ। ଓପନିଂ ବ୍ୟାଟିଂ ସହ ଉଇକେଟ୍କିପିଂ କରିବାର କ୍ଷମତା ତାଙ୍କୁ ଫ୍ରାଞ୍ଚାଇଜ ଦଳଗୁଡ଼ିକ ପାଇଁ ଏକ ଆକର୍ଷଣୀୟ ବିକଳ୍ପ କରିପାରେ। ତେଣୁ ଆଗାମୀ ନିଲାମରେ ତାଙ୍କ ଉପରେ ବଡ଼ ବୋଲି ଲାଗିବାର ସମ୍ଭାବନା ରହିଛି।