ମୋଦିଙ୍କ କାର୍ଯ୍ୟ ଅକ୍ଷମଣୀୟ, ଜାତୀୟ ବିପର୍ଯ୍ୟୟ ଲାଗି ଦାୟୀ କେନ୍ଦ୍ର ସରକାର: ଲାନ୍ସେଟ୍‌ ପତ୍ରିକା

ନୂଆଦିଲ୍ଲୀ, ୯।୫: ଭାରତରେ ଦେଖା ଦେଇଥିବା କରୋନା ମହାମାରୀର ଅସମ୍ଭାଳ ସ୍ଥିତି ନେଇ ମେଡ଼ିକାଲ ରିସର୍ଚ୍ଚ ଜର୍ନାଲ ଦି ଲାନ୍ସେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦାଯାଇଛି। ଏହାର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି ଯେ, ମୋଦିଙ୍କ କାର୍ଯ୍ୟ ଅକ୍ଷମଣୀୟ। ଗତବର୍ଷ ସଫଳତାର ସହିତ କରୋନା ମୁକାବିଲା କରିଥିବା ମୋଦି ଚଳିତ ବର୍ଷ ଦ୍ୱିତୀୟ ଲହର ସମୟରେ ବହୁ ତ୍ରୁଟି କରିଥିବା ଏଥିରେ ଦର୍ଶାଯାଇଛି। ସେହିପରି ଦି ଇନଷ୍ଟିଚ୍ୟୁଟ୍‌ ଫର୍‌ ହେଲ୍‌ଥ ମ୍ୟାଟ୍ରିକ୍ସ୍‌ ଆଣ୍ଡ ଇଭୋଲ୍ୟୁଶନର ସମ୍ପାଦକୀୟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତରେ ଚଳିତ ବର୍ଷ ଅଗଷ୍ଟ ୧ ସୁଦ୍ଧା କରୋନା ମହାମାରୀ ଯୋଗୁ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ଧାର୍ମିକ ଉତ୍ସବକୁ ଅନୁମତି ଦେବା ଏବଂ ନିର୍ବାଚନ ରାଲି କରିବା ଦ୍ୱାରା ଜାତୀୟ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଏଥିପାଇଁ ମୋଦି ସରକାର ଦାୟୀ ବୋଲି ଲାନ୍ସେଟ୍‌ କହିଛି। ସେହିପରି ମୋଦି ସରକାର ମହାମାରୀ ସଂକ୍ରମଣ ନେଇ ଟୁଇଟର ସୋସିଆଲ୍‌ ମିଡ଼ିଆରେ ହେଉଥିବା ସମାଲୋଚନା ଉପରେ ଲଗାମ୍‌ ଲଗାଇବାକୁ ଅଧିକ ପ୍ରୟାସ କରୁଥିବା ଏଥିରେ ପ୍ରକାଶ ପାଇଛି। ସେହିପରି ଏଥିରେ କେନ୍ଦ୍ର ସରକାରଙ୍କ ସାଧାରଣ ସ୍ବାସ୍ଥ୍ୟ ସେବା ଉପରେ ପ୍ରଶ୍ନ ଉଠାଯାଇଛି। ପୂର୍ବରୁ ସତର୍କ ସୂଚନା ଜାରି କରାଯିବା ପରେ ମଧ୍ୟ ଏହାକୁ ମୋଦି ସରକାର ଅଣଦେଖା କରିଥିବା ଲାନ୍ସେଟ୍‌ ପତ୍ରିକା କହିଛି। ଭାରତରେ ଜାରି ରହିଥିବା ସାର୍ବଜନୀକ ଟିକାକରଣ ନୀତି ନେଇ ପ୍ରଶ୍ନ ଉଠାଯିବା ସହିତ ଏଥିରେ ସ୍ବଚ୍ଛତା ବଜାୟ ରଖିବା ଲାଗି ଲାନ୍ସେଟ୍‌ କହିଛି।

Share