Categories: ଜାତୀୟ

ମୋଦିଙ୍କ ନେପାଳ ଗସ୍ତ, ଚାଇନା ଦ୍ୱାରା ନିର୍ମିତ ବିମାନ ବନ୍ଦରରେ ଅବତରଣ କରିବେନି ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ/କାଠମାଣ୍ଡୁ, ୧୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ମେ, ରେ ନେପାଳର ଲୁମ୍ବିନି ଗସ୍ତ କରିବାକୁ ଯାଉଛନ୍ତି। ନେପାଳର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦିନ ନେପାଳର ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୂର ଦେଓବା ଲୁମ୍ବିନିରେ ଚାଇନା ଦ୍ୱାରା ନିର୍ମିତ ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ କରିବାକୁ ଯାଉଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ଲୁମ୍ବିନିର ଏହି ବିମାନବନ୍ଦରରେ ଅବତରଣ କରିବା ପରିବର୍ତ୍ତେ ଭାରତର କୁଶିନଗରର ନୂତନ ନିର୍ମିତ ବିମାନବନ୍ଦରରେ ଅବତରଣ କରିବେ ଏବଂ ପରେ ହେଲିକପ୍ଟର ଯୋଗେ ଲୁମ୍ବିନିରେ ନିର୍ମିତ ସ୍ବତନ୍ତ୍ର ହେଲିପ୍ୟାଡରେ ଅବତରଣ କରିବେ।

ଏଠାରେ ମୋଦି ଏବଂ ଦେଓବା ଲୁମ୍ବିନି ଅଞ୍ଚଳରେ ଭାରତୀୟ ସାହାଯ୍ୟରେ ନିର୍ମିତ ହେବାକୁ ଥିବା ଏକ ବିହାରର ଶୀଳାନ୍ୟାସ କରିବେ। ବିଶେଷଜ୍ଞମାନଙ୍କ ଅନୁସାରେ ବିମାନ ବନ୍ଦର ଚାଇନା ଦ୍ୱାରା ନିର୍ମିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଏଠାରେ ଅବତରଣ କରିବାକୁ ଚାହୁଁନାହାଁନ୍ତି। ଲୁମ୍ବିନିରେ ଚାଇନାର ସହଯୋଗରେ ନିର୍ମିତ ଗୌତମ ବୁଦ୍ଧ ଅନ୍ତର୍ଜାତୀୟ ବିମାନବନ୍ଦର ଭାରତୀୟ ସୀମାଠାରୁ ମାତ୍ର ୬ କିଲୋମିଟର ଦୂରରେ ଅବସ୍ଥିତ।

କାଠମାଣ୍ଡୁ ପୋଷ୍ଟ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ବିମାନବନ୍ଦର ୧୦ ବର୍ଷ ମଧ୍ୟରେ ପ୍ରାୟ ୪୦ ବିଲିୟନ ଢଲାର ବ୍ୟୟରେ ନିର୍ମିତ ହୋଇଛି। କାଠମାଣ୍ଡୁ ପୋଷ୍ଟ ସହ ନେପାଳର ବରିଷ୍ଠ ଅଧିକାରୀମାନେ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ ବିମାନବନ୍ଦରର ଲୋକାର୍ପଣ ପାଇଁ ଚାଇନାର ଏକ ପ୍ରତିନିଧି ଦଳ ଆସନ୍ତା ୧୬ ରେ ଆସିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଭାରତ ସେହି ଦିନ ଲୁମ୍ବିନି ବିମାନ ବନ୍ଦର ବ୍ୟବହାର କରିବାକୁ ଚାହୁଁନାହିଁ।

Share