ଜି-୭ରେ ଚାଇନାକୁ ମୋଦିଙ୍କ ଟାର୍ଗେଟ: ସୀମାରେ ଯଥାସ୍ଥିତି ପରିବର୍ତ୍ତନ ବିରୋଧରେ ସ୍ବର ଉତ୍ତୋଳନ ଜରୁରୀ…

ଟୋକିଓ,୨୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜାପାନର ଜି-୭ରେ  ଦେଇଥିବା ବିବୃତ୍ତିରେ କହିଛନ୍ତି ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତି ରାଜନୈତିକ କିମ୍ବା ଅର୍ଥନୈତିକ ପ୍ରସଙ୍ଗ ନୁହେଁ, କିନ୍ତୁ ଏହା ଏକ ମାନବିକ ପ୍ରସଙ୍ଗ, ମାନବିକ ମୂଲ୍ୟବୋଧର ପ୍ରସଙ୍ଗ। ସମସ୍ତ ଦେଶ ଅନ୍ତର୍ଜାତୀୟ ନିୟମ, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଆବଶ୍ୟକ।

ସେ ତାଙ୍କ ବିବୃତ୍ତିରେ ଚାଇନାକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି ସୀମାରେ ଯଥାସ୍ଥିତିକୁ ଏକପାଖିଆ ଭାବେ ବଦଳାଇବାକୁ ଯେକୌଣସି ପ୍ରୟାସକୁ ବିରୋଧ କରାଯିବା ଉଚିତ।

ଯେ କୌଣସି ବିବାଦ ଏବଂ ତିକ୍ତ ପରିସ୍ଥିତିକୁ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରାଯିବା ଉଚିତ। ବୁଦ୍ଧଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଦୁନିଆରେ ଏପରି କୌଣସି ସମସ୍ୟା ନାହିଁ, ଯାହା ଭଗବାନ ବୁଦ୍ଧଙ୍କ ଶିକ୍ଷା ଦ୍ୱାରା ସମାଧାନ ହୋଇପାରିବ ନାହିଁ। ଭଗବାନ ବୁଦ୍ଧ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଶତ୍ରୁତାକୁ ସମାପ୍ତ କରିବା ବିଷୟରେ କହିଥିଲେ ଏବଂ ଆମେ ମଧ୍ୟ ସମାନ ପଦକ୍ଷେପ ସହିତ ଆଗକୁ ବଢ଼ିବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ କହିଛନ୍ତି ସମସ୍ତ ଦେଶ ସୀମାରେ ଯଥାସ୍ଥିତି ପରିବର୍ତ୍ତନ ବିରୋଧରେ ସ୍ବର ଉତ୍ତୋଳନ କରିବା ଜରୁରୀ। ସୀମାରେ ଚାଇନା ସହିତ ଭାରତର ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି ଏବଂ ଉଭୟ ଦେଶ ସୀମା ବିବାଦରେ ଛନ୍ଦି ହୋଇପଡିଛନ୍ତି। ଏଭଳି ପରିସ୍ଥିତିରେ ମୋଦିଙ୍କ ବିବୃତ୍ତି ଚାଇନେ ଉପରେ ପରୋକ୍ଷ ଟାର୍ଗେଟ ଭାବେ ବିବେଚନା କରାଯାଉଛି। କୌଣସି ବିବାଦର ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନର ବିଶ୍ୱ ପରିସ୍ଥିତି ବିକାଶଶୀଳ ଦେଶ ଉପରେ ଖରାପ ପ୍ରଭାବ ପକାଉଛି। ସାମ୍ପ୍ରତିକ ସଙ୍କଟ ଯୋଗୁଁ ଖାଦ୍ୟ, ତୈଳ ଏବଂ ସାରର ସଙ୍କଟ ବୃଦ୍ଧି ପାଇଛି। ବିଶେଷ କରି ବିକାଶଶୀଳ ଦେଶମାନେ ଅଧିକ ପ୍ରଭାବିତ ହୋଇଛନ୍ତି।

Share