ମୋଦିଙ୍କ କରୋନା ସମୀକ୍ଷା ବୈଠକ: ଟ୍ରିପଲ ‘ଟି’ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୧୭।୩: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ କେନ୍ଦ୍ର ଏବଂ ରାଜ୍ୟ ସରକାର ଆଲର୍ଟରେ ରହିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲା ଅନୁପସ୍ଥିତ ରହିଛନ୍ତି। ଦେଶର ୭୦ ଜିଲାରେ କରୋନା ସଂକ୍ରମର ୧୫୦ ପ୍ରତିଶତ ବୃଦ୍ଧି ପାଇଛି। ଏପରିସ୍ଥଳେ ଦେଶର ୨୫ଟି ସହରରେ ନାଇଟ୍‌ କର୍ଫ୍ୟୁ ଘୋଷଣା ପୂର୍ବରୁ ହୋଇ ସାରିଛି। ବୈଠକରେ ପ୍ରଧାନମନ୍ତ୍ରୀ କରୋନାକୁ ରୋକିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ଖୁବ୍‌ ଶୀଘ୍ର ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ମୋଦି କହିଛନ୍ତି। ଏହା ସହିତ ସେ ଟ୍ରିପଲ ‘ଟି‘ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହା ଅନ୍ତର୍ଗତ ଟେଷ୍ଟ, ଟ୍ରାକ୍‌ ଏବଂ ଟ୍ରିଟ୍‌ କରୋନା ସଂକ୍ରମଣକୁ ରୋକିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି। ଦେଶରେ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌ ହାର ୭୦ ପ୍ରତିଶରୁ ଅଧିକ ରଖାଯିବା ଜରୁରୀ। ଦେଶବାସୀଙ୍କୁ କରୋନାରୁ କିଭଳି ମୁକ୍ତି ମିଳିପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯିବା ଲାଗି ମୋଦି ସୂଚନା ଦେଇଛନ୍ତି। ଆତ୍ମବିଶ୍ୱାସ ଯେଭଳି ହେୟ ଭାବରେ ପରିଣତ ନ ହେବ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଛନ୍ତି। ଛୋଟ ସହରରେ ନମୁନା ପରୀକ୍ଷା ବୃଦ୍ଧି କରାଯିବ। ଗାଁରେ କରୋନା ସଂକ୍ରମଣ ହେଲେ ଏହାକୁ ରୋକିବା କଷ୍ଟକର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ଡୋଜ୍‌ ଯେପରି ନଷ୍ଟ ନ ହେବ ସେଥିପ୍ରତି ଦୃଷ୍ଟି ରଖିବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

Share