Categories: ଜାତୀୟ

ବ୍ରିକ୍ସ ସମିଟ୍‌ରେ ଅଧ୍ୟକ୍ଷତା କରିବେ ମୋଦି

ନୂଆଦିଲ୍ଲୀ, ୭।୯: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ତ୍ରୟୋଦଶ ସମିଟ୍‌ ୯ ତାରିଖରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଭର୍ଚୁଆଲି ଅଧ୍ୟକ୍ଷତା କରିବେ। ୨୦୧୨ ଏବଂ ୨୦୧୬ ପରେ ଭାରତ ତୃତୀୟ ଥର ପାଇଁ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଏଥିରେ ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସନାରୋ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ, ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍‌ ରାମାଫୋସା ଯୋଗଦେବେ। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ, ନ୍ୟୁ ଡେଭେଲପମେଣ୍ଟ ବ୍ୟାଙ୍କ୍‌ର ଅଧ୍ୟକ୍ଷ ମାର୍କୋସ୍‌ ଟ୍ରୋଜୋ, ବ୍ରିକ୍ସ ବିଜନେସ୍‌ କାଉନସିଲର ବର୍ତ୍ତମାନ ପାଇଁ ଅଧ୍ୟକ୍ଷ ଥିବା ଓଙ୍କାର କନଓ୍ବର ଏବଂ ମହିଳା ବିଜିନେସ୍‌ ଆଲାଏନ୍ସର ବର୍ତ୍ତମାନ ପାଇଁ ଅଧ୍ୟକ୍ଷ ଥିବା ଡ. ସଙ୍ଗୀତା ରେଡ୍ଡୀ ଚଳିତ ବର୍ଷର ବିଭିନ୍ନ ରିପୋର୍ଟ ଉପସ୍ଥାପନ କରିବେ। ଏଥର ସମିଟ୍‌ର ବିଷୟବସ୍ତୁ ରହିଛି, ‘୧୫ ବର୍ଷରେ ବ୍ରିକ୍ସ: ନିରନ୍ତରତା, ଏକୀକରଣ ଏବଂ ସହମତି ପାଇଁ ଆନ୍ତଃସହଯୋଗ’। ସମ୍ମିଳନୀରେ ଅଧ୍ୟକ୍ଷତା କରିବାକୁ ଥିବା ଭାରତ ବହୁପାକ୍ଷିକ ବ୍ୟବସ୍ଥାରେ ସଂସ୍କାର, ଆତଙ୍କବାଦ ନିରୋଧୀ ପଦକ୍ଷେପ, ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଲାଗି ଡିଜିଟାଲ ଓ ଟେକ୍‌ନୋଲୋଜି ଉପକରଣର ପ୍ରୟୋଗ ଏବଂ ଜନସାଧାରଣଙ୍କ ମଧ୍ୟରେ ଭାବବିନିମୟ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିବ।

Share