Categories: ଜାତୀୟ

ଗୋଟିଏ ମଞ୍ଚରେ ମୋଦି, ଉଦ୍ଧବ

ମୁମ୍ବାଇ,୧୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ଗତ କିଛି ମାସର ତିକ୍ତ ସମାଲୋଚନା ପରେ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇରେ ଅନୁଷ୍ଠିତ ଦୁଇଟି କାର୍ଯ୍ୟକ୍ରମରେ ଉଭୟ ଯୋଗ ଦେଇଥିଲେ। ଉଦ୍ଧବ ପ୍ରଧାନମନ୍ତ୍ରୀଙ୍କୁ କୋଲାବାସ୍ଥିତ ନୌସେନା ହେଲିପୋର୍ଟ ଆଇଏନ୍‌ଏସ୍‌ ଶିକ୍ରାରେ ସ୍ବାଗତ କରିଥିଲେ। ପରେ ଉଭୟ ରାଜଭବନ ଯାଇ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ। ସେଠାରେ ମୋଦି ଜଳଭୂଷଣ ବିଲ୍ଡିଂ ଏବଂ ବିପ୍ଳବୀଙ୍କ ଗ୍ୟାଲେରିକୁ ଉଦ୍‌ଘାଟନ କରିଥିଲେ। ପରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ଅନ୍ୟ ପକ୍ଷରେ ମୋଦିଙ୍କୁ ସ୍ବାଗତ କରିବା ପାଇଁ ଯିବାକୁ ଥିବା ଭିଆଇପି ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ରାଜ୍ୟ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ ନାଁ ନ ଥିବାରୁ ତାଙ୍କୁ ହଟ୍ଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ରଧାନମନ୍ତ୍ରୀଙ୍କ ଏସ୍‌ପିଜି ସୁରକ୍ଷା କର୍ମୀ ଆଦିତ୍ୟଙ୍କୁ ଅଟକାଇବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍‌ରୁ ଓହ୍ଲାଇଯିବାକୁ କହିଥିଲେ। ଆଇଏନ୍‌ଏସ୍‌ ଶିକ୍ରାରେ ପ୍ରବେଶ ପାଇଁ ଅନୁମତି ଦେବା ପୂର୍ବରୁ ଏସ୍‌ପିଜିକୁ ଆଦିତ୍ୟଙ୍କ ପରିଚୟ ସମ୍ପର୍କରେ ଜଣାଇବାର ଥିଲା ବୋଲି ତାଙ୍କ ନିକଟତର ସୂତ୍ରରୁ କୁହାଯାଇଛି।

Share