କରୋନା ଲଢ଼େଇରେ ସରେଣ୍ଡର କରିଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ, ୨୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ଟପିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରାଯାଉଛି। ଶନିବାର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, କରୋନା ଲଢ଼େଇରେ ମୋଦି ସରେଣ୍ଡର କରିଛନ୍ତି। ପ୍ରଧାନମନ୍ତ୍ରୀ କରୋନା ସହିତ ଲଢ଼ିବାକୁ ଚାହୁଁ ନ ଥିବା ସେ କହିଛନ୍ତି। ଦେଶରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଜାନୁୟାରୀ ୩୦ରେ ଚିହ୍ନଟ କରାଯାଇଥିଲା। ଗତ ୫ ମାସ ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣା ବଢ଼ିଛି। ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ଦେଖାଦେଇଥିବାବେଳେ ଆଇସିଏମ୍‌ଆର୍‌ ପ୍ୟାନେଲ୍‌ ଏବଂ ଗ୍ରୁପ୍‌ ଅଫ୍‌ ମିନିଷ୍ଟର(ଜିଓଏମ୍‌)ଙ୍କ ମଧ୍ୟରେ ଜୁନ୍‌ ୯ଠାରୁ କୌଣସି ବୈଠକ ହୋଇନାହିଁ। ତେବେ ରାହୁଲ ଟୁଇଟ୍‌ କରିବାର ୩ ଘଣ୍ଟାପରେ ଖବର ମିଳିଥିଲା ଯେ, ଗ୍ରୁପ୍‌ ଅଫ୍‌ ମିନିଷ୍ଟରଙ୍କର ଦିଲ୍ଲୀରେ ବୈଠକ ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଜାରି ରହିଛି। ଏହି ବୈଠକରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଉପସ୍ଥିତ ଥିବା ସୂଚନା ଦିଆଯାଇଥିଲା।

Share