Categories: ଜାତୀୟ

ମୋଦି ଗରିବଙ୍କ ହାତମୁଠା କଲେ ଟାଣ: ଏବେ ଜମିର ପାଲଟିଲେ ମାଲିକ

ନୂଆଦିଲ୍ଲୀ, ୧୧।୧୦: ଗ୍ରାମୀଣ ଗରିବଙ୍କ ହାତମୁଠା ଟାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ସ୍ବାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାର ଆରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଗରିବ ଏବେ ଜମିର ମାଲିକ ପାଲଟିଛନ୍ତି। ସେମାନଙ୍କୁ ଡିଜିଟାଲ ଜମି ପଟା ବଣ୍ଟନ କରାଯାଇଛି। ଏଣିକି ଜମି ପଟା ଦେଖାଇ ଗରିବ ଲୋକେ ଋଣ କରିପାରିବେ। ଏହି ଯୋଜନା ମାଧ୍ୟମରେ ଏକ ଲକ୍ଷ ଲୋକ ସେମାନଙ୍କର ଜମି ପଟା ମୋବାଇଲ ଫୋନ୍‌କୁ ପଠାଯାଇଥିବା ଏସ୍‌ଏମ୍‌ଏସ୍‌ ଲିଙ୍କ୍‌ ଦ୍ୱାରା ଡାଉନଲୋଡ୍‌ କରିପାରିଛନ୍ତି। ଏହା ଦ୍ୱାରା ୬ଟି ରାଜ୍ୟର ୭୬୩ ଗ୍ରାମର ଗରିବ ହିତାଧିକାରୀ ଉପକୃତ ହେବେ ବୋଲି କୁହାଯାଉଛି। ଏହି ଯୋଜନାରେ ଉତ୍ତରପ୍ରଦେଶର ୩୪୬ ଗ୍ରାମକୁ ସାମିଲ କରାଯାଇଛି। ସେହିପରି ହରିୟାଣାର ୨୨୧, ମହାରାଷ୍ଟ୍ରର ୧୦୦, ମଧ୍ୟପ୍ରଦେଶର ୪୪, ଉତ୍ତରାଖଣ୍ଡର ୫୦ ଏବଂ କର୍ନାଟକର ୨ଟି ଗ୍ରାମ ମଧ୍ୟ ଏହି ଯୋଜନାରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ର ବ୍ୟତିତ ଅନ୍ୟ ରାଜ୍ୟର ଗ୍ରାମୀଣ ଗରିବ ଗୋଟିଏ ଦିନରେ ଜମି ପଟା ପାଇପାରିବେ ବୋଲି କୁହାଯାଉଛି। ତେବେ ଏକମାସ ପରେ ମହାରାଷ୍ଟ୍ରର ଗ୍ରାମୀଣ ଲୋକେ ମଧ୍ୟ ଏହି ସୁବିଧା ପାଇପାରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କେତେକ ହିତାଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି।

 

Share