Categories: ଜାତୀୟ

ପଦକ ବିଜେତାଙ୍କ ସହ ଫୋନ୍‌ରେ କଥା ହେଲେ ମୋଦି

ନୂଆଦିଲ୍ଲୀ,୩୦।୮: ସୋମବାର ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟ୍‌ମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଅବନୀ ଲେଖରା ଶୁଟିଂରେ ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଯୋଗେଶ କଥୁନିୟା ଏବଂ ଦେବେନ୍ଦ୍ର ଝାଝରିଆ ରୌପ୍ୟ ପଦକ ଜିତିଥିଲେ। ସୁନ୍ଦର ସିଂ ଗୁର୍ଜର ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନକୁ ନେଇ ବହୁତ ଖୁସି ଥିଲେ ଏବଂ ଫୋନରେ ପଦକ ବିଜେତାମାନଙ୍କ ସହ କଥା ହୋଇଥିଲେ।


ମହିଳା ୧୦ ମିଟର ଏୟାର ରାଇଫଲରେ ସ୍ବର୍ଣ୍ଣ ପଦକ ଜିତିଥିବା ଅବନୀ ଲେଖରାଙ୍କୁ ମୋଦି କହିଛନ୍ତି ଯେ, ଏହି ବିଜୟ ଅତ୍ୟନ୍ତ ଗର୍ବର ବିଷୟ। ଭାରତୀୟ କ୍ରୀଡ଼ା ପାଇଁ ଏହା ହେଉଛି ବିଶେଷ ମୁହୂର୍ତ୍ତ, ତୁମର ପରିଶ୍ରମ ଏବଂ ସୁଟିଂ ପାଇଁ ଆଗ୍ରହ, କଠିନ ପରିଶ୍ରମ କରି ସ୍ବର୍ଣ୍ଣ ଜିତିବା ପାଇଁ ଅଭିନନ୍ଦନ। ଏଥି ସହିତ ଅବନୀ ସମଗ୍ର ଦେଶରୁ ମିଳିଥିବା ସମର୍ଥନକୁ ନେଇ ଖୁସି ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ରୌପ୍ୟ ପଦକ ବିଜେତା ଯୋଗେଶ କାଥୁନିଆଙ୍କ ସହ କଥା ହୋଇ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କାଥୁନିୟାଙ୍କ ସଫଳତାରେ ତାଙ୍କ ମା’ଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ତାଙ୍କ ସାକ୍ଷାତକାରରେ କାଥୁନିୟା କହିଛନ୍ତି ଯେ, ତାଙ୍କ ମା ତାଙ୍କୁ ଅକ୍ଷମତା ଅନୁଭବ କରିବାକୁ ଦେଇନାହାଁନ୍ତି।
ଏହା ବ୍ୟତୀତ ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ଦେବେନ୍ଦ୍ର ଝାଝରିଆଙ୍କୁ ମୋଦି ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ରୌପ୍ୟ ପଦକ ଜିତିଥିବା ଆମର ଅନ୍ୟତମ ଅଭିଜ୍ଞ ଆଥଲେଟ ଦେବେନ୍ଦ୍ର ଝାଝରିଆଙ୍କ ଚମତ୍କାର ପ୍ରଦର୍ଶନ, ଦେବେନ୍ଦ୍ର ଭାରତକୁ ଗର୍ବିତ କରିବା ଜାରି ରଖିଛନ୍ତି, ତାଙ୍କୁ ଅଭିନନ୍ଦନ, ଭବିଷ୍ୟତ ଉଦ୍ୟମ ପାଇଁ ଶୁଭେଚ୍ଛା।


ଅନ୍ୟପକ୍ଷରେ ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ସୁନ୍ଦର ସିଂ ଗୁର୍ଜରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ସୁନ୍ଦର ସିଂ ଗୁରୁଜାର ଜିତିଥିବା ବ୍ରୋଞ୍ଜ ପଦକକୁ ନେଇ ଭାରତ ଖୁସି, ଉଲ୍ଲେଖନୀୟ ସାହସ ଏବଂ ଉତ୍ସର୍ଗୀକୃତ ପ୍ରଦର୍ଶନ କରିଛି, ତାଙ୍କୁ ଅନେକ ଅନେକ ଅଭିନନ୍ଦନ।

 

Share