Categories: ଜାତୀୟ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀଙ୍କୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୨୭ା୩ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୯୯ତମ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତର ପ୍ରଥମ ମହିଳା ବୈଜ୍ଞାନିକ ଭାବେ ଜ୍ୟୋତିର୍ମୟୀ ଇଣ୍ଟରନ୍ୟାଶନାଲ ୟୁନିଅନ ଅଫ୍‌ ପିଓର ଆଣ୍ଡ୍‌ ଆପ୍ଲାଏଡ୍‌ କେମିଷ୍ଟ୍ରି (ଆଇୟୁପିଏସି) ପୁରସ୍କାର ପାଇଛନ୍ତି। ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକ ଜ୍ୟୋତିର୍ମୟୀ ରସାୟନ ତଥା କେମିକାଲ ଇଞ୍ଜିନିୟରିଂରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଉପସ୍ଥିତି ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ଏହାର ପ୍ରଶଂସା କରିବା ସହ ଭାରତର ଶକ୍ତି ବୃଦ୍ଧିରେ ନାରୀ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ। ସୁରେଖା ଯାଦବ ଏସିଆ ମହାଦେଶର ପ୍ରଥମ ମହିଳା ଲୋକୋ ପାଇଲଟ ହୋଇପାରିଛନ୍ତି। ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘ ଦି ଏଲିଫ୍ୟାଣ୍ଟ ହ୍ବିସ୍ପରର୍ସ’ ଓସ୍କାର ଜିତିବା ଫଳରେ ଏହାର ପ୍ରଯୋଜକ ଗୁନୀତ୍‌ ମୋଙ୍ଗା ଏବଂ ନିର୍ଦ୍ଦେଶକ କାର୍ତ୍ତିକି ଗନସାଲ୍‌ଭେସ ଦେଶ ପାଇଁ ଗର୍ବ ଆଣିଛନ୍ତି। ତୁର୍କୀରେ ଏନ୍‌ଡିଆର୍‌ଏଓଫର ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ମହିଳାମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ। ଦେଶର ବିଭିନ୍ନ ଅଞ୍ଚଳରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ ସତର୍କ ରହିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଅଙ୍ଗଦାନ କରିବା ଲାଗି ଅଧିକରୁ ଅଧିକ ଲୋକେ ଆଗ୍ରହ ଦେଖାଇବାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆହ୍ବାନ ଦେଇଛନ୍ତି। ଯେଉଁମାନେ ମୃତ୍ୟୁ ପରେ ଅଙ୍ଗଦାନ କରିଥାନ୍ତି, ସେମାନେ ଗ୍ରହୀତାଙ୍କ ପାଇଁ ଭଗବାନ ସଦୃଶ। ଏହା ଦ୍ୱାରା ଅନେକ ଜୀବନ ରକ୍ଷା ପାଇପାରିବ। ୨୦୧୩ରେ ୫,୦୦୦ରୁ କମ୍‌ ଅଙ୍ଗଦାନ ହୋଇଥିବାବେଳେ ୨୦୨୨ରେ ତାହା ୧୫ ହଜାର ଟପିଛି। ଜଣେ ମୃତବ୍ୟକ୍ତିଙ୍କ ଅଙ୍ଗରେ ୮ରୁ ୯ ଜଣ ଉପକୃତ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share