Categories: ଜାତୀୟ

ଦେଶରେ ଚାଲିଛି ମୋଦି-ପୋଲିସଙ୍କ ରାଜୁତି…

ନୂଆଦିଲ୍ଲୀ, ୨୬।୭ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସରକାରଙ୍କ ବିଭିନ୍ନ ନିୀତିର ବିରୋଧ କରି ଏକ ପ୍ରତିବାଦ ଆନ୍ଦୋଳନର ନେତୃତ୍ୱ ନେଇ ରାସ୍ତାରେ ଧାରଣା ଦେଇ ଥିଲେ। ସେ ମୂଲ୍ୟ ବୃଦ୍ଧି, ଜିଏସଟି ଏବଂ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଭଳି ବହୁ ପ୍ରସଙ୍ଗକୁ ବିରୋଧ କରି ଧାରଣା ଦେଇଥିଲେ। ବହୁ ପୋଲିସ ତାଙ୍କୁ ଘେରି ରହିଥିଲେ।

ପ୍ରାୟ ୩୦ ମିନିଟ ଧରି ଚାଲିଥିବା ଧାରଣା ପରେ ରାହୁଲଙ୍କୁ ବସ୍‌ରେ ଅଟକ ରଖାଯାଇଥିଲା। ପୋଲିସ ତାଙ୍କୁ ଅଟକ ରଖିବା ପୂର୍ବରୁ ରାହୁଲ କହିଥିଲେ ଯେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୋଲିସଙ୍କ ରାଜୁତି ଚାଲିଛି। ମୋଦି ରାଜାଙ୍କ ଭଳି ସ୍ବେଚ୍ଛାଚାରୀ ଶାସନ ଚାଇଥିବା ରାହୁଲ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ, ନ୍ୟାଶନାଲ ହେରାଲ୍ଡ ମାମଲାରେ ତାଙ୍କ ମା ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ଡକାଯାଇଥିଲା। ସୋନିଆ ଗାନ୍ଧୀ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଅନୁସନ୍ଧାନକାରୀ ଏଜେନ୍ସି କାର୍ଯ୍ୟାଳୟକୁ ଯାଇଥିଲେ। ରାହୁଲ ଗାନ୍ଧୀ ମଧ୍ୟ ବିକ୍ଷୋଭରେ ଯୋଗଦେବା ପୂର୍ବରୁ ସେଠାକୁ ଯାଇଥିଲେ।

ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିବାକୁ ଯୋଜନା କରୁଥିବା ଏମ୍‌ପିମାନଙ୍କୁ ବିଜୟ ଚୌକ ଛକରେ ଅଟକାଇ ଦିଆଯାଇଥିଲା।

ରାଜ୍ୟ ସଭାରେ ବିରୋଧୀ ଦଳର କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗ କହିଛନ୍ତି ଯେ ପୋଲିସର ନିୟମ ଅନୁଯାୟୀ ଆମେ ବିରୋଧ କରୁଛୁ। ବିରୋଧୀଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ତଥା ଆମ ସ୍ବରକୁ ଦମନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହା ଷଡଯନ୍ତ୍ର ରଚିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଆମେ ଭୟ କରିବୁ ନାହିଁ, ଆମର ସଂଗ୍ରାମ ଜାରି ରହିବ ବୋଲି କହିଛନ୍ତି।

Share