Categories: ଜାତୀୟ

ମୋଦି ଶୋଇଛନ୍ତି, ସିବିଆଇ ପାରିବ ତ

ନୂଆଦିଲ୍ଲୀ/ଲଣ୍ଡନ/ଇମ୍ଫାଲ,୨୮।୭(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର):ଗୁଳିଗୋଳା ଫୁଟିବାର ଶବ୍ଦ ସହ ସକାଳ ହୁଏ। ବଞ୍ଚତ୍ବା ପାଇଁ ଦିନସାରା ସଂଘର୍ଷ ଏବଂ ମୃତ୍ୟୁ ଆତଙ୍କରେ ରାତି ପାହେ। ଭାରତୀୟ ଜନତା ପାର୍ଟି (ଭାଜପା) ଶାସିତ ଏହି ଉତ୍ତର-ଭାରତୀୟ ରାଜ୍ୟର ନାମ ମଣିପୁର, ଯେଉଁଠି ମେ’ ୩ରୁ ଜାତିଆଣ ହିଂସାରେ ଅନେକ ଶହ ଲୋକ ନିହତ ହେଲେଣି। ବହୁ ଯୁବତୀ, ମହିଳାଙ୍କୁ ବଳାତ୍କାର କରାଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ହାତବାନ୍ଧି ବସିଛନ୍ତି। ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ମାନ୍ୟତା ଦାବି କରୁଥିବା ଅଣଆଦିବାସୀ ମେଇତି ସମ୍ପ୍ରଦାୟର ଲୋକେ କୁକି ବର୍ଗ ଉପରେ ଅକଥନୀୟ ଅତ୍ୟାଚାର କରିଚାଲିଥିବାବେଳେ ଗତ ସପ୍ତାହରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଥିଲା। ମେ’ ୪ରେ କୁକି-ଜୁ ସମ୍ପ୍ରଦାୟର ୨ ଜଣ ସ୍ବଳ୍ପବୟସ୍କା ମହିଳାଙ୍କ ଦେହରୁ ପୋଷାକ ଖୋଲି ଉଲଗ୍ନ ପରେଡ୍‌ କରାଯିବା ଦୃଶ୍ୟ ଏଥିରେ ଦେଖାଯାଇଥିଲା। ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ଏକ ଚାଷଜମିରେ ଗଣବଳାତ୍କାର କରାଗଲା। ତାଙ୍କ ବାପା ଓ ଭାଇ ପ୍ରତିବାଦ କରିବାରୁ ଉଭୟଙ୍କୁ ହତ୍ୟା କରାଗଲା। ସେହିଦିନ ଆଉ ୨ ଜଣ ମହିଳାଙ୍କୁ ମଧ୍ୟ ଅନ୍ୟତ୍ର ଗଣବଳାତ୍କାର ପରେ ହତ୍ୟା କରାଯାଇଥିଲା। ପ୍ରାୟ ୩ ମାସ ଧରି ଚାଲିଥିବା ଏହି ବର୍ବରତା କେବଳ ଦେଶରେ ଜାତୀୟ ଲଜ୍ଜା ପାଲଟି ନାହିଁ, ବରଂ ବିଦେଶରେ ମଧ୍ୟ ଭାରତର ଛବିକୁ କଳଙ୍କିତ କରିଛି। ଏତେ ସବୁ ଘଟିଯିବା ପରେ ମଧ୍ୟ ପାର୍ଲାମେଣ୍ଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ପ୍ରସଙ୍ଗରେ ମୁହଁ ନ ଖୋଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିରୋଧୀ ଦଳଗୁଡ଼ିକ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବାବେଳେ ଜଣେ ଅଧିକାରୀ କହୁଛନ୍ତି, ଭାଇରାଲ ଭିଡିଓର ତଦନ୍ତ ସିବିଆଇ କରିବ। ଅସଂଖ୍ୟ ପୁରୁଣା ମାମଲାର ବୋଝ ସମ୍ଭାଳିପାରୁ ନ ଥିବା ସିବିଆଇ ମଣିପୁର ଘଟଣାର ତଦନ୍ତ କିପରି ଓ କେତେ ଶୀଘ୍ର କରିବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ।

Share