Categories: ଜାତୀୟ

ଏଏପି ଖବର ପ୍ରକାଶ ନ କରିବାକୁ ଗଣମାଧ୍ୟମ ଉପରେ ଚାପ ପକାଉଛନ୍ତି ମୋଦି

ନୂଆଦିଲ୍ଲୀ,୧୯।୯: ଗୁଜରାଟ ବିଧାନସଭା ନିର୍ବାଚନରେ ହାରିଯିବା ଭୟ ଏବେ ଭାଜପା ନେତାମାନଙ୍କୁ ବିଚଳିତ କରିଛି। ସେମାନେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତାମାନଙ୍କ ବିରୋଧରେ ମିଛ ଦୁର୍ନୀତି ଅଭିଯୋଗ ଆଣି ଦଳକୁ ବଦନାମ କରିବାକୁ ଉଦ୍ୟମ ଚଳାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ଗୁଜରାଟରେ ଏଏପିର ଖବର ପ୍ରସାରଣ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଣମାଧ୍ୟମ ଉପଦେଷ୍ଟା ହିରେନ୍‌ ଜୋଷୀ ବିଭିନ୍ନ ଟିଭି ଚ୍ୟାନେଲ ମାଲିକ ଏବଂ ସମ୍ପାଦକମାନଙ୍କୁ ତାଗିଦ କରୁଛନ୍ତି। ଏପରିକି ଏଏପି ଖବର ପ୍ରସାରଣ କରିବାର ପରିଣତି ଭୋଗିବାକୁ ପଡ଼ିବ ବୋଲି ସେମାନଙ୍କୁ ଧମକ ଦିଆଯାଉଛି। କେତେଜଣ ସମ୍ପାଦକ ଉକ୍ତ ଧମକପୂର୍ଣ୍ଣ ବାର୍ତ୍ତା ତାଙ୍କୁ ଦେଖାଇଥିବା କେଜ୍‌ରିଓ୍ବାଲ କହିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମରେ ଦଳର ରାଷ୍ଟ୍ରୀୟ ଜନପ୍ରତିନିଧି ସମ୍ମିଳନୀରେ ଉଦ୍‌ବୋଧନ ଦେବା ଅବସରରେ କେଜ୍‌ରିଓ୍ବାଲ ଭାଜପା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଗୁଜରାଟରେ ଏଏପିର ବର୍ଦ୍ଧିତ ଲୋକପ୍ରିୟତାକୁ ଗୈରିକ ଦଳ ହଜମ କରିପାରୁ ନ ଥିବା ଏଏପି ଆବାହକ କହିଛନ୍ତି। ଭାରତକୁ ବିଶ୍ୱର ଏକ ନମ୍ବର ଦେଶରେ ପରିଣତ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଛଅସୂତ୍ରୀ ଏଜେଣ୍ଡା ଘୋଷଣା କରିଛନ୍ତି। ଆମକୁ ୧୩୦ କୋଟି ଲୋକଙ୍କ ମେଣ୍ଟ ଗଢ଼ିବାକୁ ହେବ ବୋଲି ସେ କହିଛନ୍ତି। ୨୦୨୪ ଲୋକ ସଭା ର୍ନିବାଚନକୁ ଦୃଷ୍ଟିରେ ରଖି ଏଏପିକୁ ଜାତୀୟ ସ୍ତରକୁ ସମ୍ପ୍ରସାରଣ କରିବା ଉପରେ ଦଳର ପ୍ରଥମ ଜାତୀୟ ଜନପ୍ରତିନିଧି ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିଲା। ଉତ୍ତମ ସ୍ବାସ୍ଥ୍ୟସେବା, ବିଶ୍ୱସ୍ତରୀୟ ଭିତ୍ତିଭୂମି, ନିଯୁକ୍ତି ସୁରକ୍ଷା, ମହିଳାଙ୍କ ପାଇଁ ସୁଯୋଗ ଆଦି କାର୍ଯ୍ୟସୂଚୀ ଦ୍ୱାରା ଭାରତକୁ ଶ୍ରେଷ୍ଠ ଦେଶରେ ପରିଣତ କରାଯାଇପାରିବ ବୋଲି କେଜ୍‌ରିଓ୍ବାଲ କହିଥିଲେ।

Share