Categories: ଜାତୀୟ

ସଂଖ୍ୟାଲଘୁଙ୍କ ସ୍ବୀକାର୍ଯ୍ୟ ନେତା ପାଲଟିଛନ୍ତି ମୋଦି: ନକ୍‌ଭୀ

ନୂଆଦିଲ୍ଲୀ,୧୭।୧୨: ଦେଶର ସର୍ବାଧିକ ସଂଖ୍ୟାଲଘୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଛନ୍ତି। ମୋଦି ଦେଶର ଅଳ୍ପସଂଖ୍ୟକଙ୍କର ସ୍ବୀକାର୍ଯ୍ୟ ନେତା ପାଲଟିଛନ୍ତି। ଏସମ୍ପର୍କରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ ନକ୍‌ଭୀ କହିଛନ୍ତି। ମୋଦିଙ୍କ ଶାସନ କାଳରେ କୌଣସି ସଂଖ୍ୟାଲଘୁଙ୍କ ଉପରେ ଅନ୍ୟାୟ କରାଯାଇ ନାହିଁ ବୋଲି ସେ କହିଛନ୍ତି। ଏହା ସହିତ ସେ ‘ ସାଉଥ୍‌ ଏସିଆ ଷ୍ଟେଟ୍‌ ଅଫ୍‌ ମାଇନରଟିଜ୍‌ ରିପୋର୍ଟ-୨୦୨୦’ରେ ଉଲ୍ଲେଖ କରାଯାଇଥିବା ତଥ୍ୟକୁ ଖାରଜ କରିଛନ୍ତି। ଏହି ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ଭାରତ ସଂଖ୍ୟାଲଘୁଙ୍କ ପ୍ରତି ଅସହିଷ୍ଣୁ ହୋଇ ପଡ଼ିଛି। ନକ୍‌ଭୀ କହିଛନ୍ତି ଯେ, ଏଭଳି ରିପୋର୍ଟ ପ୍ରକାଶିତ ହେବା ନେଇ ବିବ୍ରତ ହେବାର କୌଣସି କାରଣ ନାହିଁ। ଏହା ନିରାଧାର। ଭାରତ ସଂଖ୍ୟାଲଘୁଙ୍କ ପାଇଁ ଏକ ସୁରକ୍ଷିତ ଦେଶ ବୋଲି ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି। ମୋଦି ସରକାର ସଂଖ୍ୟାଲଘୁଙ୍କ ସାମାଜିକ, ଆର୍ଥିକ ଓ ଶିକ୍ଷା ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ସେମାନଙ୍କର ସଶକ୍ତିକରଣ ପାଇଁ ବହୁ ଯୋଜନା ଜାରି ରହିଛି। ସଂଖ୍ୟାଲଘୁ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବୃତ୍ତି ପ୍ରଦାନ କରାଯାଉଥିବା ସେ କହିଛନ୍ତି।

Share