ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ ଉପଲବ୍ଧତା ରହିଛି ଏବଂ ଆଗାମୀ ମାସଗୁଡ଼ିକରେ ମଧ୍ୟ ଯୋଗାଣରେ କୌଣସି ଅଭାବ ହେବାକୁ ଦିଆଯିବ ନାହିଁ। ସରକାରଙ୍କ ଆକଳନ ଅନୁସାରେ, ୨୦୨୫-୨୬ରେ ଦେଶରେ ପ୍ରାୟ ୩୦୭.୩୭ ଲକ୍ଷ ଟନ ପିଆଜ ଉତ୍ପାଦନ ହେବାର ଆଶା ରହିଛି। ଏହା ସହ ସରକାରଙ୍କ ପାଖରେ ପିଆଜର ବଫର ଷ୍ଟକ ମଧ୍ୟ ରହିଛି, ଯାହା ଆବଶ୍ୟକତା ଅନୁସାରେ ବଜାରକୁ ଛଡ଼ାଯାଉଛି।
ସରକାରଙ୍କ କହିବା ଅନୁସାରେ, ପ୍ରତିବର୍ଷ ଅଗଷ୍ଟ-ସେପ୍ଟେମ୍ବର ସମୟରେ ପିଆଜ ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳେ। ଏହା ପଛରେ ପର୍ବପର୍ବାଣୀ ସମୟରେ ବଢ଼ୁଥିବା ଚାହିଦା, ପାଣିପାଗ, ମଣ୍ଡିକୁ ପିଆଜ ଆଗମନ ଏବଂ ଯୋଗାଣ ଶୃଙ୍ଖଳା ଭଳି ଅନେକ କାରଣ ରହିଛି। ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବଫର ଷ୍ଟକ୍କୁ ପିଆଜ ବାହାର କରି ମଣ୍ଡି ଏବଂ ବଡ଼ ସହରଗୁଡ଼ିକରେ ବିକ୍ରି କରୁଛନ୍ତି।
ପିଆଜକୁ ଶୀଘ୍ର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚାଇବା ପାଇଁ ସରକାର ‘କାନ୍ଦା ଏକ୍ସପ୍ରେସ’ ଚଳାଉଛନ୍ତି। ଏହା ମାଧ୍ୟମରେ ରେଳପଥରେ ବିପୁଳ ପରିମାଣର ପିଆଜ ଦେଶର ବିଭିନ୍ନ ଅଞ୍ଚଳକୁ ପଠାଯାଉଛି। ୨୦୨୪-୨୫ରେ ୧୪ଟି ରେଳ ର଼୍ୟାକ ମାଧ୍ୟମରେ ପ୍ରାୟ ୧୨ ହଜାର ଟନ ପିଆଜ ୫ଟି ସହରକୁ ପଠାଯାଇଥିଲା। ୨୦୨୫-୨୬ରେ ଏହାକୁ ବଢ଼ାଇ ୮୬ଟି ରେଳ ର଼୍ୟାକ ଏବଂ ପ୍ରାୟ ୮୮ ହଜାର ଟନ ପିଆଜ କରାଯାଇଛି।
ଏବେ ୨୪ ଅଗଷ୍ଟ ୨୦୨୬ରୁ ନାସିକରୁ ପିଆଜ ଯୋଗାଣ ଆରମ୍ଭ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ଚେନ୍ନାଇ, ମଦୁରାଇ, କୋଚି ଏବଂ ଗୁଆହାଟୀ ଭଳି ୫ଟି ବଡ଼ ସହରକୁ ପିଆଜ ପଠାଯିବ। ଆବଶ୍ୟକତା ଅନୁସାରେ ପରେ ଅନ୍ୟ ସହରଗୁଡ଼ିକୁ ମଧ୍ୟ ଏହି ବ୍ୟବସ୍ଥାରେ ସାମିଲ କରାଯିବ। ସରକାର କହିଛନ୍ତି ଯେ, ପିଆଜର ଦର, ମଣ୍ଡିରେ ଆଗମନ ଏବଂ ଉପଲବ୍ଧତା ଉପରେ ନିରନ୍ତର ନଜର ରଖାଯାଉଛି।