Categories: ଜାତୀୟ

‘ମିଛ କହୁଛନ୍ତି ମୋଦି ସରକାର’

ନୂଆଦିଲ୍ଲୀ,୪।୧୨: କେନ୍ଦ୍ରର ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ବେଳେ ୭୦୦ କୃଷକ ପ୍ରାଣ ହରାଇଛନ୍ତି। କେନ୍ଦ୍ରର ମୋଦି ସରକାର ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଚାହୁଁ ନ ଥିବାରୁ ମୃତକଙ୍କ ରେକର୍ଡ ନାହିଁ ବୋଲି କହୁଛନ୍ତି। ଏହା କେନ୍ଦ୍ରର ସମ୍ବେଦନହୀନତା ଓ ଅହଂକାରକୁ ଦର୍ଶାଉଛି ବୋଲି ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି।
ଏକ ଖବରଦାତା ସମ୍ବିଳନୀକୁ ସମ୍ବୋଧିତ କରି ଓ୍ବାୟନାଡ୍‌ ଏମ୍‌ପି ରାହୁଲ କହିଛନ୍ତି, ଆନ୍ଦୋଳନରତ ଚାଷୀଙ୍କ ମୃତ୍ୟୁ ପାଇଁ ପଞ୍ଜାବ ସରକାର ଦାୟୀ ନୁହନ୍ତି। ତଥାପି ରାଜ୍ୟର ୪୦୩ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେଇଛନ୍ତି। କଂଗ୍ରେସ ପାଖରେ ପଞ୍ଜାବ ବାହାର ୧୦୦ ଜଣ ମୃତ ଚାଷୀଙ୍କ ତାଲିକା ରହିଛି। ଏହାବାଦ୍‌ ଲୋକଙ୍କଠାରୁ ସଂଗୃହୀତ ତଥ୍ୟ ଅନୁସାରେ ଅନ୍ୟ ୨୦୦ ମୃତ ଚାଷୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି ଦୁଇ ତାଲିକାକୁ ସୋମବାର ପାର୍ଲାମେଣ୍ଟରେ ଉପସ୍ଥାପନ କରିବେ ବୋଲି ରାହୁଲ କହିଛନ୍ତି। କୃଷି ଆଇନକୁ ଉଚ୍ଛେଦ କରାଯିବା ପରେ କୃଷକଙ୍କ ଅବଶିଷ୍ଟ ଦାବି ସମ୍ପର୍କରେ ପ୍ରଶ୍ନ କରାଯିବାରୁ ରାହୁଲ କହିଥିଲେ, କେନ୍ଦ୍ରର ଉଦ୍ଦେଶ୍ୟ ଠିକ୍‌ ନାହିଁ। ସରକାର ସେମାନଙ୍କ ଦାବି ଗ୍ରହଣ କରିବା ସନ୍ଦେହ। ଉକ୍ତ ଆଇନକୁ ଉଚ୍ଛେଦ କରିବା ନେଇ ଘୋଷଣା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ କ୍ଷମା ମାଗିଥିଲେ। କାରଣ ତାଙ୍କ ଭୁଲ୍‌ ଯୋଗୁ ଏତେ କୃଷକଙ୍କ ମୃତ୍ୟୁ ଘଟିଥିବା ସେ ଜାଣିଛନ୍ତି। ଯଦି ସର୍ବସାଧାରଣରେ କ୍ଷମା ମାଗିପାରୁଛନ୍ତି ତେବେ କ୍ଷତିପୂରଣ ଦେବାରେ ଅସୁବିଧା କେଉଁଠି? ପୁଞ୍ଜିପତି ବନ୍ଧୁଙ୍କ ପାଇଁ ଟଙ୍କା ଅଛି ଅଥଚ ଚାଷୀଙ୍କ ପରିବାରକୁ ଦେଇପାରୁନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ପ୍ରକାଶ ଯେ, ମୃତ ଚାଷୀଙ୍କ ସଂଖ୍ୟା ଜାଣିନାହୁଁ, କ୍ଷତିପୂରଣ କେମିତି ଦେବୁ ବୋଲି ସରକାର କହିବା ପରେ ଏହାକୁ ଗୁରୁବାର ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜନ ଖାର୍ଗେ ଏକ ଅପମାନ ବୋଲି ଅଭିହିତ କରିଥିଲେ।

 

Share