ମୋଦି କ୍ୟାବିନେଟରେ ହେବ ବଡ଼ ନିଷ୍ପତ୍ତି; କ’ଣ ଧର୍ମେନ୍ଦ୍ରଙ୍କ ଇସ୍ତଫାକୁ ନେଇ ହେବ ଘୋଷଣା?

ନୂଆଦିଲ୍ଲୀ,୨୪।୭: ପେପର ଲିକ୍ ପ୍ରସଙ୍ଗକୁ ନେଇ ଦେଶର ରାଜନୀତି ଗରମ ହେବାରେ ଲାଗିଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ପର୍ଯ୍ୟନ୍ତ ସମସ୍ତେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ କେନ୍ଦ୍ର ସରକାର ଘେରି ହୋଇପଡ଼ିଛନ୍ତି। ଏହି ବିବାଦକୁ ପ୍ରଶମିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିଳମ୍ବିତ ରାତିରେ ଏକ ଭିଡିଓ ସନ୍ଦେଶ ଜାରି କରି ପେପର ଲିକ୍ ବିରୋଧରେ କଠୋର ଦଣ୍ଡ ଏବଂ ଜରିମାନା ବିଶିଷ୍ଟ ଆଇନ ପ୍ରଣୟନ କରିବାକୁ ଘୋଷଣା କରିଛନ୍ତି। PM ମୋଦୀ ରାତି ୧୧:୫୨ ରେ ନିଜର X (ଟ୍ୱିଟର) ହ୍ୟାଣ୍ଡେଲରେ ଏକ ୨:୫୬ ମିନିଟର ଭିଡିଓ ମେସେଜ୍ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ କ୍ୟାବିନେଟ୍ ବୈଠକରେ ଆଲୋଚନା କରି ଏକ ବିଲ୍ ପ୍ରସ୍ତୁତ କରାଯିବ, ଯାହାକୁ ଆସନ୍ତା ସପ୍ତାହରେ ସଂସଦରେ ଆଗତ କରାଯାଇ ମଞ୍ଜୁର କରାଯିବ।

ମୋଦୀ ସରକାରଙ୍କ ଯୋଜନା ହେଉଛି ପେପର ଲିକ୍ ଏବଂ କପି/ଅସଦୁପାୟ ଅବଲମ୍ବନ ବିରୋଧରେ ବିଦ୍ୟମାନ ଆଇନକୁ ଅଧିକ କଠୋର କରିବା। କେନ୍ଦ୍ର ସରକାର ସାଧାରଣ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଅଧିନିୟମ ୨୦୨୪ ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି। ପରୀକ୍ଷାଗୁଡ଼ିକୁ କେନ୍ଦ୍ରୀକୃତ (Centrally managed) କରିବା ପାଇଁ କେନ୍ଦ୍ର ସରକାର UPSC ଢାଞ୍ଚାରେ ଏକ ସ୍ୱାୟତ୍ତ ଶାସିତ ସଂସ୍ଥା ଗଠନ କରିବାକୁ ବିଚାର କରିପାରନ୍ତି। ସଂଶୋଧିତ ବିଲ୍‌ରେ ପେପର ଲିକ୍ ମାମଲାର ଶୁଣାଣି ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନର ପ୍ରାବଧାନ ଯୋଡ଼ାଯାଇପାରେ। ଫାଷ୍ଟ ଟ୍ରାକ୍ କୋର୍ଟକୁ ପୂର୍ବ ଅପେକ୍ଷା ଅଧିକ ଆଇନଗତ ଅଧିକାର ଦେବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି।

ପେପର ଲିକ୍‌ରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ପାଇଁ ଦଣ୍ଡ ଏବଂ ଜରିମାନା ଉଭୟ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ବର୍ତ୍ତମାନ ପେପର ଲିକ୍ ମାମଲାରେ ଦୋଷୀଙ୍କୁ ୩ ରୁ ୫ ବର୍ଷ ଜେଲ୍ ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ ରହିଛି। ସଂଶୋଧନ ପରେ, ପେପର ଲିକ୍‌ରେ ସଂପୃକ୍ତ ସର୍ଭିସ୍ ପ୍ରୋଭାଇଡରଙ୍କ ଉପରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ସଂଗଠିତ ଅପରାଧ ମାମଲାରେ ୫ ରୁ ୧୦ ବର୍ଷ ଜେଲ୍ ଦଣ୍ଡ ଏବଂ ସର୍ବନିମ୍ନ ୧ କୋଟି ଟଙ୍କା ଜରିମାନାର ପ୍ରାବଧାନ କରାଯାଇପାରେ। ପେପର ଲିକ୍ ଏବଂ ଅସଦୁପାୟକୁ ପ୍ରଭାବଶାଳୀ ଭାବେ ରୋକିବା ପାଇଁ ଆଇନକୁ ଅଧିକ କଠୋର କରିବା କେନ୍ଦ୍ର ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ।