Categories: ଜାତୀୟ

କୋର୍ଟ କାନ୍ଧରେ ବନ୍ଧୁକ ରଖି ଅନ୍ନଦାତାଙ୍କ ଉପରେ ଚଳାଇଲେ ମୋଦି: ଶିବସେନା

ମୁମ୍ବାଇ,୧୪।୧: କୃଷି ଆଇନ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟ ଉପରେ ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛିି। ମୋଦି ସୁପ୍ରିମ୍‌କୋର୍ଟ କାନ୍ଧରେ ବନ୍ଧୁକ ରଖି ଅନ୍ନଦାତାଙ୍କ ଉପରେ ଚଳାଇଥିବା ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି। ଅନ୍ନଦାତାଙ୍କୁ ଆଲୋଚନାରେ ବ୍ୟସ୍ତ ରଖିବାକୁ ମୋଦି ସରକାର ଚାହୁଁଛନ୍ତି। ତେବେ ମୋଦି ସରକାରଙ୍କ ଯୋଜନା ଫସର ଫାଟି ଯାଇଛି। ଏହାକୁ ଅନ୍ନଦାତା ଖାତିର କରି ନାହାନ୍ତି। ସେହିପରି ନ୍ୟାୟାଳୟଙ୍କ ସ୍ଥଗିତ ଆଦେଶ ମଧ୍ୟ ଅନ୍ନଦାତା ସ୍ବୀକାର କରୁ ନାହାନ୍ତି। ଏପରିସ୍ଥଳେ ମୋଦି ସରକାର ଏତେ ସଂଖ୍ୟକ ଅନ୍ନଦାତାଙ୍କୁ କ’ଣ ଦେଶଦ୍ରୋହୀ ପ୍ରମାଣିତ କରିବେ ବୋଲି ଶିବସେନା ପ୍ରଶ୍ନ କରିଛି। ଚାଷୀ ସଂଗଠନଗୁଡ଼ିକ ଏବେ କର ଅବା ମର ସ୍ଥିତିରେ ରହିଥିବା ସାମନାରେ କୁହାଯାଇଛି। ଏହି ପ୍ରସଙ୍ଗରେ କାହାର ମାନ-ସମ୍ମାନର ପ୍ରଶ୍ନ ନାହିଁ। ଏଠାରେ ଦେଶର କୃଷି ନୀତି ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିବା ସାମନା କହିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମଧ୍ୟ କୃଷି ଆଇନ ନେଇ ଲଗାତାର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିବା ଜାରି ରଖିଛନ୍ତି।

Share