ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀର ଉଦଘାଟନ କରିଛନ୍ତି। ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (NGT) ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀ ସେପ୍ଟେମ୍ବର ୧୯ ଏବଂ ୨୦ ତାରିଖରେ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ପରିବେଶ ସଂରକ୍ଷଣ, ଅକ୍ଷୟ ଶକ୍ତି, କାର୍ବନ ନିର୍ଗମନ, ସୌର ଶକ୍ତି, ବୈଦ୍ୟୁତିକ ଯାନ, ଜଳ ସଂରକ୍ଷଣ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଭଳି କ୍ଷେତ୍ରରେ ଭାରତର ସଫଳତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ପରିବେଶ ସଂରକ୍ଷଣ ଦିଗରେ ଭାରତ ବିଶ୍ୱ ସମ୍ପ୍ରଦାୟ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି ଏବଂ ନୂତନ ମାନଦଣ୍ଡ ସ୍ଥାପନ କରୁଛି।
ଏହି ସମ୍ମିଳନୀରେ ପରିବେଶ ବିଶେଷଜ୍ଞଙ୍କ ବ୍ୟତୀତ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟର ବିଚାରପତି, ଜିଲା ଅଦାଲତର ବିଚାରପତି ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ସଚିବ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରୁଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କାର୍ବନ ନିର୍ଗମନ ପାଇଁ ଦାୟିତ୍ୱ ପ୍ରାୟତଃ ଅନ୍ୟାୟ ଭାବେ ବିକାଶଶୀଳ ଦେଶଗୁଡ଼ିକ ଉପରେ ନ୍ୟସ୍ତ କରାଯାଇଥାଏ। ସେ ଉଲ୍ଲେଖ କରିଛନ୍ତି ଯେ ବାସ୍ତବତା ହେଉଛି, ଆଜି ମଧ୍ୟ ଭାରତର ମୁଣ୍ଡପିଛା କାର୍ବନ ନିର୍ଗମନ ପରିମାଣ ବିଶ୍ୱ ହାରାହାରିର ଅଧାରୁ ମଧ୍ୟ କମ ଅଟେ। ବିକଶିତ ଦେଶଗୁଡ଼ିକରେ ମୁଣ୍ଡପିଛା କାର୍ବନ ନିର୍ଗମନ ଭାରତ ତୁଳନାରେ ଛଅ ଗୁଣ ଅଧିକ ରହିଛି।
ସେ କହିଛନ୍ତି ଯେ ଭାରତ ବିଶ୍ୱସ୍ତରୀୟ ମଞ୍ଚରେ ଏହି ତଥ୍ୟଗୁଡ଼ିକୁ ଦୃଢ଼ତାର ସହ ଉପସ୍ଥାପନ କରିଥାଏ। ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟଙ୍କୁ ପରିବେଶ ସଂରକ୍ଷଣ କ୍ଷେତ୍ରରେ ନିଜର ଭୂମିକା ନିର୍ବାହ କରିବାକୁ ଆହ୍ବାନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିବେଶ ପାଇଁ ମଧ୍ୟ ଏକ ବଡ଼ ଆହ୍ବାନ ହୋଇ ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ‘ସିଙ୍ଗଲ-ୟୁଜ ପ୍ଲାଷ୍ଟିକ’ (ଥରେ ମାତ୍ର ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ) ଉପରେ କଟକଣା ଲଗାଇଛି। ସେ ଉଲ୍ଲେଖ କରିଛନ୍ତି ଯେ ‘ହ୍ରାସ, ପୁନଃବ୍ୟବହାର ଏବଂ ପୁନଃଚକ୍ରଣ’ (Reduce, Reuse, and Recycle) ମନ୍ତ୍ର ମାଧ୍ୟମରେ ‘ସର୍କୁଲାର୍‌ ଇକୋନୋମି’ ବା ଚକ୍ରୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରାଯାଉଛି। ଆଜି ଭାରତରେ ପ୍ରତିଦିନ ହଜାର ହଜାର ଟନ ବର୍ଜ୍ୟବସ୍ତୁର ପୁନଃଚକ୍ରଣ କରାଯାଉଛି।

Dharitri – Odisha’s No.1 Odia Daily

Share