Categories: ଜାତୀୟ

୨୪ରେ ମୋଦି-ବାଇଡେନ ଆଲୋଚନା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଠାରୁ ଆମେରିକା ଗସ୍ତରେ ଯାଉଥିବାବେଳେ ଶୁକ୍ରବାର (ସେପ୍ଟେମ୍ବର ୨୪ରେ) ସେ ଓ୍ବାଶିଂଟନରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ବୈଠକରେ ଯୋଗଦେବେ। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବଢ଼ାଇବ ବୋଲି ଆଶା କରାଯାଉଥିବା ବହିର୍ବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା କହିଛନ୍ତି। ଆଲୋଚନାରେ ମୌଳବାଦ, ଆତଙ୍କବାଦୀ ଏବଂ ବିଭିନ୍ନ ଆଞ୍ଚଳିକ ପ୍ରସଙ୍ଗ ସ୍ଥାନ ପାଇବ। ଏହା ବ୍ୟତୀତ ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ମଧ୍ୟ ଦୁଇ ନେତା ଆଲୋଚନା କରିପାରନ୍ତି। ବାଇଡେନ୍‌ଙ୍କ ବ୍ୟତୀତ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ଏଥିସହିତ ମୋଦି ଓ୍ବାଶିଂଟନଠାରେ ୨୪ରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍‌ ସମ୍ମିଳନୀରେ ଯୋଗଦେବେ। ଉକ୍ତ ବୈଠକରେ ମୁଖ୍ୟତଃ ସମସାମୟିକ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ସମସ୍ୟା ଉପରେ ଗୁରୁତ୍ୱାରୋପ କରାଯିବା ଆଶା କରାଯାଉଛି। ଏହି ବୈଠକରେ ବାଇଡେନ୍‌, ମୋଦିଙ୍କ ସହ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସହ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବହିର୍ବ୍ୟାପାର ସଚିବ ଶ୍ରିଙ୍ଗଲାଙ୍କ ସମେତ ଅନ୍ୟ ଅଧିକାରୀମାନେ ଆମେରିକା ଯିବେ। ସେଠାରେ ମୋଦି ବିଭିନ୍ନ ଆମେରିକୀୟ କମ୍ପାନୀର ଶୀର୍ଷ କାର୍ଯ୍ୟନିର୍ବାହୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।
ଆଲୋଚନା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ବୈଠକରେ ଆଫଗାନିସ୍ତାନ ପ୍ରସଙ୍ଗ ସ୍ଥାନ ପାଇବା ସହ ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇରେ ଉଭୟ ଦେଶ କିପରି କାର୍ଯ୍ୟ କରିବେ ତାହା ଉପରେ ଆଲୋଚନା ହେବ ବୋଲି ହ୍ବାଇଟ୍‌ ହାଉସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗତ ଜାନୁୟାରୀରେ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମୋଦି ତାଙ୍କ ସହ ଭର୍ଚୁଆଲି ଏକାଧିକ ଥର ଆଲୋଚନା କରିଛନ୍ତି। ଗତ ଏପ୍ରିଲ୍‌ ୨୬ରେ ମୋଦି-ବାଇଡେନ୍‌ ଟେଲିଫୋନ୍‌ ଆଲୋଚନା ହୋଇଥିଲା। ଆସନ୍ତା ୨୪ରେ ପ୍ରଥମ ଥର ପାଇଁ ଉଭୟ ନେତା ଏକାଠି ବସି ଆଲୋଚନା କରିବେ।

Share