ଭାରତରେ ମର୍ଡେନା ଭାକ୍ସିନକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୯।୬: ଖୁବ୍‌ଶୀଘ୍ର ଭାରତକୁ ଆସିବ ଆଉ ଏକ ବିଦେଶୀ ଟିକା। ଏଥିପାଇଁ ବାଟ ଫିଟିଥିବା ବେଳେ ଆମେରିକୀୟ କମ୍ପାନୀ ମର୍ଡେନା ଟିକା ଖୁବଶୀଘ୍ର ଭାରତ ଆସିବ ବୋଲି ଜଣାପଡ଼ିଛି। ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ମର୍ଡେନାକୁ ଅନୁୁମତି ଦେଇଥିବା ଜଣାପଡ଼ିଛି। ମଙ୍ଗଳବାର ମୁମ୍ବାଇ ସ୍ଥିତ ଫାର୍ମା କମ୍ପାନୀ ସିପଲାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମର୍ଡେନା କରୋନା ଟିକା ଆମଦାନୀ କରିବାକୁ ଡିସିଜିଆଇ ଅନୁମତି ପ୍ରଦାନ କରିଛି। କମ୍ପାନୀ ଟିକାକୁ ଭାରତ ଆଣିବ ଏବଂ ପ୍ରାଥମିକ ଭାବେ ଏହାକୁ ସୀମିତ ଲୋକଙ୍କ କ୍ଷେତ୍ରରେ ବ୍ୟବହାର କରାଯିବ। ଗୋଟିଏ ଦିନ ପୂର୍ବରୁ ସିପଲା ଆମେରିକା ଫାର୍ମା ପକ୍ଷରୁ ଟିକାର ଜରୁରୀ କାଳୀନ ବ୍ୟବହାର ଓ ମାର୍କେଟିଂ ପାଇଁ ଆବେଦନ କରିଥିଲା। ଡିସିଜିଆଇ ଏହି ଆବେଦନକୁ ଗ୍ରହଣ କରିବା ପରେ ଡ୍ରଗ୍ସ ଓ କସ୍‌ମେଟିକ ଆକ୍ଟ ୧୯୪୦ ଅଧୀନରେ ନୂଆ ଡ୍ରଗ୍ସ ଆଣ୍ଡ କ୍ଲିନିକାଲ ଟ୍ରାଏଲ ନିୟମ ୨୦୧୯ ଜରିଆରେ ସିପଲାକୁ ମର୍ଡେନା ଟିକାର ଆମଦାନୀ ପାଇଁ ଅନୁମତି ଦେଇଛି। ଭାରତରେ ବର୍ତ୍ତମାନ କୋଭିସିଲ୍ଡ, କୋଭାକ୍ସିନ ଓ ସ୍ଫୁଟ୍‌ନିକ-ଭି ଟିକା ବ୍ୟବହାର ହେଉଥିବା ବେଳେ ଆଗକୁ ଟିକାକରଣରେ ମର୍ଡେନାକୁ ମଧ୍ୟ ସାମିଲ କରାଯିବ।

Share