ଦେଶରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ମର୍ଡନା ଟିକା

ନୂଆଦିଲ୍ଲୀ,୬।୭: କରୋନାର ଚତୁର୍ଥ ଟିକା ଖୁବ୍‌ଶୀଘ୍ର ଦେଶରେ ଉପଲବ୍ଧ ହେବାକୁ ଯାଉଛି। ଜୁଲାଇ ୧୫ସୁଦ୍ଧା ଦେଶର କେତେକ ହସ୍ପିଟାଲରେ ମର୍ଡନା ଟିକା ଉପଲବ୍ଧ ହେବ ବୋଲି ସୂଚନା ରହିଛି। ଗତ ମାସରେ ମର୍ଡନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତର ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜେଆଇ) ଅନୁମତି ଦେଇଥିଲା। ମୁମ୍ବାଇ ସ୍ଥିତ ଫାର୍ମା କମ୍ପାନୀ ସିପ୍ଲାକୁ ଦେଶରେ ଜରୁରୀକାଳୀନ ବ୍ୟବହାର ଲାଗି ମର୍ଡନା ଟିକା ଆମଦାନୀ ପାଇଁ ଡିସିଜେଆଇ ଅନୁମତି ପ୍ରଦାନ କରିଥିଲା। ମର୍ଡନା ଟିକା ଆସିବା ପରେ ଭାରତରେ ଏହାକୁ ମିଶାଇ କରୋନାର ୪ଟି ଟିକା ବ୍ୟବହାର କରାଯିବ। ଏହାପୂର୍ବରୁ ୨ସ୍ବଦେଶୀ କୋଭାକ୍ସିନ ଓ କୋଭିସିଲ୍ଡ ଏବଂ ବିଦେଶୀ ରୁଷୀୟ ଟିକା ସ୍ଫୁଟନିକ୍‌-ଭି ଟିକା ବ୍ୟବହାର କରାଯାଉଛି। ଆମେରିକା ଦ୍ୱାରା ବିକଶିତ ହୋଇଥିବା ଏହି ଭାକ୍ସିନ ଅନେକ କ୍ଷେତ୍ରରେ ବେଶ୍‌ ପ୍ରଭାବଶାଳୀ ବୋଲି କୁହାଯାଉଛି। ଆମେରିକା ଓ ୟୁରୋପ ସମେତ ଅନେକ ସହରରେ ମର୍ଡନାର ୨ଟି ଡୋଜ ବ୍ୟବହାର କରାଯାଉଛି। ଏହି ଟିକାରେ କରୋନା ଭାଇରସ୍‌ର ସ୍ପାଇକ ପ୍ରୋଟିନ କିମ୍ବା ଜେନେଟିକ କୋଡର ଅଂଶକୁ ସାମିଲ କରାଯାଇଛି। ମର୍ଡନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେଉଥିବା ଟିକା ମଧ୍ୟରୁ ସବୁଠାରୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। କରୋନା ଲଢ଼େଇରେ କୋଭାକ୍ସିନ ଓ କୋଭିଶିଲ୍ଡ ପର ମର୍ଡନା ଟିକାର ୨ଟି ଡୋଜ୍‌ ୯୪.୧ ପ୍ରତିଶତ ପ୍ରଭାବଶାଳୀ ଜଣାପଡ଼ିଛି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏହି ଟିକା ଲୋକଙ୍କ ମଧ୍ୟରେ ଶକ୍ତିଶାଳୀ ପ୍ରତିରୋଧକ କ୍ଷମତା ସୃଷ୍ଟି କରିବାରେ ଅତ୍ୟନ୍ତ ଉପଯୋଗୀ ହୋଇପାରେ। ଏଥିସହ ମର୍ଡନା ଭାକ୍ସିନର ଟିକାକରଣ ପରେ ବହୁ ବର୍ଷ ପର୍ଯ୍ୟନ୍ତ ଏହା ସୁରକ୍ଷା ପ୍ରଦାନ କରିବ ବୋଲି ନିକଟରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି। ସବୁଠାରୁ ବିଶେଷ କଥା ହେଉଛି ମର୍ଡନା ଟିକା ୧୨ରୁ ୧୭ବର୍ଷ ବୟସର ପିଲାମାନଙ୍କ ପାଇଁ ବେଶ୍‌ ପ୍ରଭାବଶାଳୀ ହୋଇଥିବା ବେଳେ ଏହା ପ୍ରାୟ ୯୬ପ୍ରତିଶତ ଫଳପ୍ରଦ ବୋଲି ସୂଚନା ରହିଛି।

Share