Categories: ଜାତୀୟ

ହସ୍ପିଟାଲଗୁଡ଼ିକରେ ମକ୍‌ ଡ୍ରିଲ୍‌ ଆରମ୍ଭ: ସ୍ବାସ୍ଥ୍ୟମନ୍ତ୍ରୀ ନିଜେ କରୁଛନ୍ତି ସମୀକ୍ଷା

ନୂଆଦିଲ୍ଲୀ,୨୭ା୧୨:ଚାଇନା ସମେତ ବିଭିନ୍ନ ଦେଶରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାବେଳେ ଭାରତରେ ଏହାର ମୁକାବିଲା ଲାଗି ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ହସ୍ପିଟାଲଗୁଡ଼ିକରେ ମକ୍‌ ଡ୍ରିଲ୍‌ ଆରମ୍ଭ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ସମସ୍ତ ଡାକ୍ତରଖାନା ପରିଦର୍ଶନ କରୁଛନ୍ତି।
ସବୁ ଜିଲା ହସ୍ପିଟାଲଗୁଡ଼ିକର ସାମର୍ଥ୍ୟ, ଆଇସୋଲେଶନ ବେଡ୍‌, ଅକ୍ସଜେନ୍‌-ସପୋର୍ଟେଡ ବେଡ୍‌, ଆଇସିୟୁ ବେଡ୍‌, ଭେଣ୍ଟିଲେଟର ସୁବିଧା, ଡାକ୍ତର, ନର୍ସ ଏବଂ ପାରାମେଡିକ୍‌ କର୍ମଚାରୀ, ଆୟୁଷ ଡାକ୍ତର ଓ ଆଗଧାଡ଼ିର କର୍ମଚାରୀମାନଙ୍କ ସଂଖ୍ୟା ଯାଞ୍ଚ କରାଯିବ। ଏଥିସହିତ କୋଭିଡ୍‌ ପରିଚାଳନା ଲାଗି କେତେଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି, ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଭେଣ୍ଟିଲେଟର ପରିଚାଳନା ସମ୍ପର୍କରେ କେତେଜଣ ପ୍ରଶିକ୍ଷଣ ନେଇଛନ୍ତି, ପିଏସ୍‌ଏ ପ୍ଲାଣ୍ଟ ଇତ୍ୟାଦିକୁ ଚଳାଇବା ଲାଗି ସ୍ବାସ୍ଥ୍ୟକର୍ମୀ ତାଲିମ ନେଇଛନ୍ତି କି ନାହିଁ, ତାହାର ସମୀକ୍ଷା କରାଯିବ। ସେହିପରି ହସ୍ପିଟାଲରେ ବେସିକ୍‌ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ, ପରୀକ୍ଷା ଉପକରଣ, ଜରୁରୀ ଔଷଧ କେତେ ଉପଲବ୍ଧ ଅଛି ତାହାର ଅନୁଧ୍ୟାନ କରାଯିବ ବୋଲି ଜଣାପଡ଼ିଛି।

Share