୧୫ ଗାଁରେ ମିଳୁନି ମୋବାଇଲ ସେବା

ତେନ୍ତୁଳିଖୁଣ୍ଟି, ୬।୧(ଚିଦାନନ୍ଦ ସାହୁ): ବର୍ତ୍ତମାନ ସମୟରେ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତାରେ ଟେଲି ଯୋଗାଯୋଗ ବା ମୋବାଇଲ ସେବା ଯୋଡ଼ିହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଏଭଳି ୧୫ଟି ଗ୍ରାମ ଅଛି ଯେଉଁଠି ଏବେବି ମୋବାଇଲ୍‌ ନେଟ୍‌ଓ୍ବର୍କ ଆସୁନାହିଁ। ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ପଞ୍ଚାୟତର ୩, ଗୌଡ଼ଦେଓପାଲି ପଞ୍ଚାୟତର ୯ ଓ ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତର ୩ ଗାଁ ମୋବାଇଲ ସେବାରୁ ବଞ୍ଚତ୍ତ। ଉକ୍ତ ଗ୍ରାମର ଅଧିବାସୀଙ୍କୁ ବ୍ୟାପକ ଅସୁବିଧା ଭୋଗିବାକୁ ପଡ଼ୁଛି। କାହାରିକୁ ଯୋଗାଯୋଗ କରିବାକୁ ହେଲେ ଲୋକଙ୍କୁ ପାହାଡ଼ ଉପରକୁ ଯିବାକୁ ପଡ଼ୁଛି।
ତେନ୍ତୁଳିଖୁଣ୍ଟିରେ ଇନ୍ଦ୍ରାବତୀ ଭଳି ଏକ ବୃହତମ ନଦୀବନ୍ଧ ଯୋଜନା ରହିଛି। ଦେଓପାଲିରେ ମୁଖ୍ୟବନ୍ଧ ଅଞ୍ଚଳ ରହିଛି। ଯେଉଁଠାରୁ ଜଳସ୍ତର ଜାଣିବା ସହ ୪ ବ୍ଲକକୁ ଜଳଯୋଗାଣ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଉଛି। ତଥାପି ଏଠାରେ ମୋବାଇଲ ସେବା ବ୍ୟବସ୍ଥା କରାଯାଇନାହିଁ। ପ୍ରତି ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକ ଦେଓପାଲି ଆସିଥାନ୍ତି। ଏଠାରେ ମୋବାଇଲ ସେବା ନ ଥିବାରୁ ଆଣିଥିବା ଗାଡ଼ି ଖରାପ ହେଉ ଅବା ଆଉ କିଛି ଅସୁବିଧା ହେଲେ କାହାରିକୁ ଯୋଗାଯୋଗ କରିବାରେ ସମସ୍ୟା ଦେଖାଦିଏ। ମୋବାଇଲ ସେବା ନ ଥିବାରୁ ଗୌଡ଼ଦେଓପାଲି ପଞ୍ଚାୟତରେ ପିଡିଏସ୍‌ ସେବା ଅଫ ଲାଇନରେ କରାଯାଉଛି। ଫଳରେ ଏଥିରେ ସ୍ବଚ୍ଛତା ରାହୁ ନ ଥିବା ଅଭିଯୋଗ ହେଉଛି।
ଗୌଡ଼ଦେଓପାଲି, ହିରିଗୁଡା, ଚିଙ୍ଗୁଡ଼ିସର, ପିପିଲଗୁଡ଼ା, କାଦବେଡା, ଘୁଷୁରାଗୁଡା, ଡାଇକ, ଡଙ୍ଗାଝରଣ ଗ୍ରାମରେ ମୋବାଇଲ ସେବା ନାହିଁ। ସେସବୁ ସ୍ଥାନରେ ମୋବାଇଲ ସେବା ଯୋଗାଇଦେବା ପାଇଁ ସରପଞ୍ଚ ପ୍ରମିଳା ମୁଦୁଲି ଜିଲାପାଳଙ୍କୁ ଲିଖିତ ଦାବି କରିଛନ୍ତି। ଏମ୍‌ପି ରମେଶ ଚନ୍ଦ୍ର ମାଝି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଦେଓପାଲିରେ ମୋବାଇଲ ସେବା ଯୋଗାଇବାକୁ ଦାବି ରଖିଛନ୍ତି।
ଲମତାଗୁଡ଼ା ପଞ୍ଚାୟତ ପଡ଼ାଆଉଁଳି, ତଳ ଗୋଡ଼ି, ତଗାପାଲି, ଉପରଗୋଡି ଗ୍ରାମ ମଧ୍ୟ ମୋବାଇଲ ସେବାରୁ ବଞ୍ଚତ୍ତ। ଏଠାକାର ଗ୍ରାମବାସୀ ଯୋଗାଯୋଗ ପାଇଁ ଉଚ୍ଚସ୍ଥାନକୁ ଯାଇ କଥା ହେଉଥିବା ଦେଖାଯାଉଛି। ମୋବାଇଲ ସେବା ନ ଥିବାରୁ ଗର୍ଭବତୀ ଓ ରୋଗୀ ବହୁଳଭାବେ ଅସୁବିଧା ଭୋଗୁଛନ୍ତି। ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ବରଡ଼ାଝୋଡ଼ି, ଲଦିପଦର ଓ ପାଙ୍ଗଣମରା ଅଞ୍ଚଳରେ ମୋବାଇଲ ସେବାରୁ ବଞ୍ଚତ୍ତ ତଥାପି କାହାରି ନିଘା ନାହିଁ। ଗାଁକୁ ମୋବାଇଲ ସେବା ନ ଥିବାରୁ ଆମ ପୁଅମାନଙ୍କୁ ବୋହୂ ମିଳିବା କଷ୍ଟ ହୋଇଯାଉଛି ବୋଲି ଗ୍ରାମବାସୀ କହିଛନ୍ତି। କୋଭିଡ୍‌ ସମୟରେ ଅନ୍‌ଲାଇନ ପାଠପଢ଼ା ହେଉଥିଲା। ମୋବାଇଲ ସେବା ନ ଥିବାରୁ ଏସବୁ ଅଞ୍ଚଳର ପିଲାଙ୍କ ପାଠପଢା ବ୍ୟାହତ ହୋଇଥିଲା। ପିଲାମାନେ ବିଭିନ୍ନ ପରୀକ୍ଷା ପାଇଁ ନିଜ ଆଡ୍‌ମିଟ କାର୍ଡର ମେସେଜ ମଧ୍ୟ ନ ପାଇ ହଇରାଣ ହେଉଥିବା ଦେଖାଯାଇଛି। ପ୍ରଶାସନ ଓ ଲୋକ ପ୍ରତିନିଧି ଏଠି ପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି।