ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ରହିଛି ତାଜୁଙ୍ଗିଆ ପଞ୍ଚାୟତ ସେଠାକୁ ଯିବାକୁ ହେଲେ ଘାଟି ଅଣଓସାରିଆ ରାସ୍ତା ରହିଛି। ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳଭାବେ ଜଣାଶୁଣା ତାଜୁଙ୍ଗିଆରେ ଅନେକ ସୁବିଧା ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଥିବାବେଳେ ଏବେ ସବୁଠାରୁ ବଡ଼ ସମସ୍ୟା ମୁଣ୍ଡ ଟେକିଛି ବିଏସଏନଏଲର ମୋବାଇଲ ସେବା। ଦିନେ କି ୨ ଦିନ ନୁହେଁ, ଆଜିକୁ ୨ ବର୍ଷ ବିତିଲା ମୋବାଇଲ ସେବା ଠପ ହୋଇଯାଇଛି। ଫଳରେ କ୍ଷୁଦ୍ର ଗ୍ରାମଞ୍ଚଳ ବ୍ୟାଙ୍କ ସେବା ସମେତ ଛାତ୍ରୀଛାତ୍ରଙ୍କ ପାଠ ପଢା, ଅନଲାଇନରେ ନାମ ଲେଖା ଆଦି ବଡ଼ ସମସ୍ୟା ମୁଣ୍ଡ ଟେକିଛି।
ସେହିପରି ଉଭୟ ସରକାରଙ୍କ ଦ୍ୱାରା ଲୋକଙ୍କୁ ୧ ଶହ ଦିନର କାମ ଯୋଗାଇବା ପାଇଁ ଏମଜିଏନଇଆରଜିଏସ କାର୍ଯ୍ୟରେ ଅନଲାଇନ କାମ ପାଇଁ ଶ୍ରମିକମାନେ ଆବେଦନ କରିପାରୁ ନ ଥିବାବେଳେ କାମ କରୁଥିବା ଶ୍ରମିକମାନଙ୍କ ଅନଲାଇନରେ କୌଣସି ଡାଟା ଏଣ୍ଟ୍ରି ହୋଇପଟୁନାହିଁ। ସେଠାରୁ ପ୍ରାୟ ପଚାଶ କିମି ଦାରିଙ୍ଗବାଡି ଯାଇ ଏହି ସବୁ କାର୍ଯ୍ୟ କରିବାକୁ ପଡୁଥିବା ଜଣାପଡିଛି।
ଏନେଇ ତାଜୁଙ୍ଗିଆ ସରପଞ୍ଚ ଚୁମୁକି ପ୍ରଧାନ ପୂର୍ବରୁ ବାରମ୍ବାର ବିଏସଏନଏଲ ଅଫିସକୁ ଦୌଡିବା ସହ ଜିଲା ପ୍ରଶାସନଠାରେ ଗୁହାରି କରିଥିଲେ ମଧ୍ୟ ୨ ବର୍ଷ ବିତିଗଲା କିନ୍ତୁ ବିଏସଏନଏଲ ସେବା ଯୋଗାଇଦିଆଯାଇ ନ ଥିବା ଅଭିଯୋଗ କରିଛନ୍ତି। ସରପଞ୍ଚ ନିଜେ ସୋମବାର କନ୍ଧମାଳର ନୂତନ ଜିଲାପାଳ ବେଦଭୂଷଣଙ୍କ ଅଭିଯୋଗ ପ୍ରକୋଷ୍ଠ ଦାରିଙ୍ଗବାଡିଠାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ବିଏସଏନଏଲ ସେବା ଇ ପଞ୍ଚାୟତ ଅଞ୍ଚଳରେ ବସୁଧା ଜଳ ନିଅଣ୍ଟ ପଡୁଥିବା ନେଇ ଅଭିଯୋଗ କରିଥିବା କହିଛନ୍ତି।


