ଖୋର୍ଦ୍ଧା, ୩୦।୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ବାଲିଅନ୍ତା ଓ ରାୟଗଡ଼ାର ଇନ୍ଦିରାଗୁଡ଼ା ପରେ ଏବେ ବାଣପୁରରେ ଭିଡ଼ ହିଂସାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବାଣପୁର ଥାନା ଅନ୍ତର୍ଗତ ଭୀମପୁର ବାଘୁଆପଦର ସାହିର ତୋଫାନ ନାୟକ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବାଣପୁର ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି।
ସୂଚନା ଅନୁଯାୟୀ, ଗତ ୨୮ ତାରିଖ ଅପରାହ୍ନରେ ତୋଫାନଙ୍କୁ ଚୋର ସନ୍ଦେହରେ କିଛି ଗ୍ରାମବାସୀ ଧରି ଏକ ଖୁଣ୍ଟରେ ବାନ୍ଧି ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ନିସ୍ତୁକ ମାଡ଼ ମାରିଥିଲେ। ସେଠାରେ ଉପସ୍ଥିତ ଲୋକମାନେ ଯିଏ ଯେପରି ପାରିଥିଲେ, ତାଙ୍କୁ ପ୍ରହାର କରିଥିଲେ। ଏହି ନିର୍ମମ ମାଡ଼ର ଦୃଶ୍ୟ ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ସୂଚନା ମିଳିଛି।
୧୧୨ ନମ୍ବରକୁ ଫୋନ୍ ଯୋଗେ ସୂଚନା ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୋଫାନଙ୍କୁ ଉଦ୍ଧାର କରିଥିଲା। ହେଲେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନ ପଠାଇ ପ୍ରାୟ ଦୁଇ ଘଣ୍ଟା ଧରି ଥାନାରେ ଅଟକ ରଖିଥିଲା। ପରେ ପରିବାର ଲୋକଙ୍କୁ ଡକାଇ ଏକ ଲିଖିତ ମୁଚାଲିକା ନେବା ପରେ ତାଙ୍କୁ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି।
ଘରକୁ ଫେରିବା ପରେ ତୋଫାନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଥିଲା। ସେ ରକ୍ତବାନ୍ତି କରିବା ସହ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ପ୍ରଥମେ ବାଣପୁରରେ ଚିକିତ୍ସା କରାଇବା ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷରେ, ଥାନାରେ ମଧ୍ୟ ତୋଫାନଙ୍କୁ ପୋଲିସ ପ୍ରହାର କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗକୁ ଖୋର୍ଦ୍ଧା ଏସ୍ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ଖଣ୍ଡନ କରିଛନ୍ତି। ଥାନାର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
ଏସ୍ପିଙ୍କ କହିବା ଅନୁଯାୟୀ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ଏବଂ ସେହି ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ଏହି ଘଟଣା ପରେ ବାଣପୁର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଭିଡ଼ ହିଂସା ଏବଂ ପୋଲିସର ଭୂମିକାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।