Categories: ଜାତୀୟ

ରମଜାନ ଇଦ୍‌ ପାଳନରେ ବାଧା ଦେବନି ଏମ୍‌ଏନ୍‌ଏସ୍‌

ମୁମ୍ବାଇ,୩।୫: ମୁସଲମାନମାନେ ମଙ୍ଗଳବାର ନିର୍ବିଘ୍ନରେ ରମଜାନ ଇଦ୍‌ ପାଳନ କରିବେ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ ସୋମବାର ଘୋଷଣା କରିଛନ୍ତି। ମୁସଲମାନମାନେ ଆନନ୍ଦର ସହ ଉତ୍ସବ ପାଳନ କରନ୍ତୁ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଅକ୍ଷୟ ତୃତୀୟାରେ ଆରତୀ କାର୍ଯ୍ୟକ୍ରମ ବନ୍ଦ ରଖିବା ଲାଗି ସେ ତାଙ୍କ ଦଳୀୟ କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି। କୌଣସି ଉତ୍ସବ ପାଳନରେ ଏମ୍‌ଏନ୍‌ଏସ୍‌ ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ରାଜ୍‌ ଠାକ୍‌ରେ କହିଛନ୍ତି। ଡାକବାଜି ଯନ୍ତ୍ର କେବଳ ଧର୍ମୀୟ ସମସ୍ୟା ନୁହେଁ, ଏହା ସାମାଜିକ ସମସ୍ୟା। ଡାକବାଜି ଯନ୍ତ୍ର ସମ୍ପର୍କିତ ଆଗାମୀ କାର୍ଯ୍ୟ ଯୋଜନା ନେଇ ସେ ମଙ୍ଗଳବାର ସୋସିଆଲ ମିଡିଆରେ ଘୋଷଣା କରିବେ ବୋଲି କହିଛନ୍ତି।
ରବିବାର ରାତିରେ ଔରଙ୍ଗାବାଦରେ ଏକ ବିଶାଳ ରାଲିକୁ ଉଦ୍‌ବୋଧନ ଦେଇ ତୁରନ୍ତ ମସ୍‌ଜିଦ ଓ ଧର୍ମୀୟ ସ୍ଥାନରୁ ଡାକବାଜି ଯନ୍ତ୍ର ନ ହଟିଲେ ପରିଣାମ ଭୟାବହ ହେବ ବୋଲି ଏମ୍‌ଏନ୍‌ଏସ୍‌ ଅଧ୍ୟକ୍ଷ ଚେତାବନୀ ଦେଇଥିଲେ। ସାରା ରାଜ୍ୟରେ ଦୁଇଗୁଣା ଶବ୍ଦରେ ଦଳୀୟ କର୍ମୀମାନେ ହନୁମାନ ଚାଳିଶା ବଜାଇବେ ବୋଲି ସେ କହିଥିଲେ। ଏହାକୁ ଶାସକ ମହା ବିକାଶ ଅଘାଡ଼ି ସମେତ ଅଧିକାଂଶ ରାଜନୈତିକ ଦଳ ବିରୋଧ କରିବା ପରେ ରାଜ୍‌ ଠାକ୍‌ରେ ସୋମବାର ନିଷ୍ପତ୍ତି ବଦଳାଇଛନ୍ତି।

Share