Categories: ଜାତୀୟ

ଶ୍ରୁତିଙ୍କ ବିରୋଧରେ ଭାଜପାର ଅଭିଯୋଗ

ଚେନ୍ନାଇ,୭।୪: ବର୍ତ୍ତମାନ ଦେଶରେ ଗୋଟିଏ ପଟେ କରୋନା ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ନିର୍ବାଚନୀ ମାହୋଲ ରହିଛି। ନିକଟରେ ୩ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ନିର୍ବାଚନ ସରିଛି। ମଙ୍ଗଳବାର ତାମିଲନାଡୁର ୨୩୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ଏହି ସମୟରେ ସାଉଥ୍‌ ସିନେମାର କେତେକ ସୁପରଷ୍ଟାରଙ୍କୁ ବୁଥ୍‌ ସମ୍ମୁଖରେ ଲାଇନ ଲଗାଇଥିବା ଦେଖିବାକୁ ମିଳିଥିଲା। ସେହିପରି ମକ୍କଲ ନିଧି ମୟମର(ଏମ୍‌ଏନ୍‌ଏମ୍‌) ମୁଖ୍ୟ କମଲ ହାସନ ମଧ୍ୟ ଚେନ୍ନାଇର ଏକ ପୋଲିଂ ବୁଥ୍‌ରେ ନିଜର ମତଦାନ କରିଥିବା ଦେଖିବାକୁ ମିଳିଛି। ସେହି ସମୟରେ ତାଙ୍କ ସାଙ୍ଗରେ ୨ଝିଅ ମଧ୍ୟ ଉପସ୍ଥିତ ରହିଥିଲେ। ଅନ୍ୟପଟେ କମଲ ହାସନଙ୍କ ଝିଅ ଶ୍ରୁତିଙ୍କ ନାଁରେ ଭାଜପା ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସୂଚନାଯୋଗ୍ୟ, କୋଏମ୍ବାଟୁର ଦକ୍ଷିଣ ବିଧାନସଭା ଆସନରୁ କମଲ ହାସନ ନିର୍ବାଚନ ଲଢ଼ୁଛନ୍ତି। ଭୋଟ ଦେବା ପରେ ସେ ଉକ୍ତ ବୁଥକୁ ତଦାରଖ ପାଇଁ ଯାଇଥିଲେ। ହେଲେ ସେହି ସମୟରେ ତାଙ୍କ ଝିଅ ଶ୍ରୁତି ମଧ୍ୟ ଉପସ୍ଥିତ ଥିଲେ। ଏହାକୁ ନେଇ ଭାଜପା ଶ୍ରୁତିଙ୍କ ବିରୋଧରେ ନିୟମ ଭାଙ୍ଗ କରିଥିବା ଅଭିଯୋଗ କରିଛି। ଏଥିସହ ନିର୍ବାଚନ ଆୟୋଗଙ୍କ ନିକଟରେ ଶ୍ରୁତିଙ୍କ ବିରୋଧରେ ଅଭିଯୋଗ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Share