ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ବିଧାୟକ

ଧାମନଗର, ୧୧।୧୦ (ଦେବେନ୍ଦ୍ର ଆନ୍ଦିଆ): ରାଜ୍ୟ ରାଜପଥର ମାନ୍ୟତା ପାଇଥିବା ଭଦ୍ରକ-ଆଖଣ୍ଡଳମଣି ରାସ୍ତା ଅବସ୍ଥା ଅତ୍ୟନ୍ତ ଜରାଜୀର୍ଣ୍ଣ। ମରଣଯନ୍ତା ପାଲଟିଥିବା ଏହି ରାସ୍ତାର ଅବସ୍ଥାକୁ ନେଇ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଭେଟିଛନ୍ତି। ସେ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ପୂର୍ତ୍ତ ବିଭାଗ ଅଧୀନ ଏହି ସଡ଼କର ଶୋଚନୀୟ ଅବସ୍ଥା ସମ୍ପର୍କରେ ଆଲୋଚନା କରିବା ସହ ଏହାର ଫଟୋ ଦେଖାଇଥିଲେ। ଭଦ୍ରକ, ତିହିଡ଼ି, ଧାମନଗର ଏବଂ ଚାନ୍ଦବାଲି ବ୍ଲକର ହଜାର ହଜାର ଲୋକଙ୍କ ସମେତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଦୈନିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାର୍ବଣ ପୂର୍ବରୁ ଉକ୍ତ ସଡ଼କର ମରାମତି ପାଇଁ ସେ ଦାବି କରିଛନ୍ତି। ବିଧାୟକଠାରୁ ଅବଗତ ହେବା ପରେ ମୁଖ୍ୟ ଶାସନ ସଚିବ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଏବଂ ଇଆଇସିଙ୍କ ସହ କଥା ହୋଇଥିଲେ। ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା ଅନୁସାରେ ଭଦ୍ରକ-ଆଖଣ୍ଡଳମଣି ରାସ୍ତାରୁ ସମ୍ପୂର୍ଣ୍ଣ ଗଛ କଟା ହୋଇ ନ ଥିଲାବେଳେ ବିଦ୍ୟୁତ୍‌ ଖୁଣ୍ଟ ଅପସାରଣ କାର୍ଯ୍ୟ ଶେଷ ହୋଇନାହିଁ, ଯେଉଁଥିପାଇଁ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ତେବେ ନିକଟରେ ବିଭାଗ ପକ୍ଷରୁ ଗମନାଗମନ ଅନୁପୋଯୋଗୀ ହୋଇପଡ଼ିଥିବା ଭଦ୍ରକ-ଆଖଣ୍ଡଳମଣି ସଡ଼କର ଅସ୍ଥାୟୀ ମରାମତି କରାଯାଇ ଯାତାୟାତ ଉପଯୋଗୀ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ବିଧାୟକଙ୍କୁ କହିଥିବା ଜଣାଯାଇଛି।