ଗଞ୍ଜାମ,୨୧।୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତ ବୋରିଗାଁ ନିକଟସ୍ଥ ପାହାଡ଼ର ପାଦ ଦେଶରେ ପ୍ରସିଦ୍ଧ ବାବା ଶୈବ ପୀଠ ଅବସ୍ଥିତ । ଉକ୍ତ ଝାଡେଶ୍ୱର ପୀଠରେ ଆଗାମୀ ଦିନରେ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଲାଡ ଓ ହୁମ୍ମା ପଞ୍ଚାୟତର ୮ଟି ଗ୍ରାମକୁ ନେଇ ୧୫ ଦିନ ଧରି ଏହି ମହାଯଜ୍ଞ ଅନୁଷ୍ଠିତ ହେବ। ଏହି ଅବସରରେ ବିଭିନ୍ନ ଗ୍ରାମ୍ୟ କମିଟି ସହ ଆଲୋଚନା କରାଯାଇ ଆୟୋଜନର ରୂପରେଖ ପ୍ରସ୍ତୁତ କରାଯାଇଛି। ଏଥିସହ ଝାଡେଶ୍ୱର ପୀଠରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ । ଗୁରୁବାର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଶିଳାନ୍ୟାସ କରିଛନ୍ତି । ତତ୍ ସଙ୍ଗେ ସଙ୍ଗେ ଛତ୍ରପୁର ବିଧାୟକ ନାୟକ ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମବାସୀ ଓ ଜନପ୍ରତିନିଧିମାନେ ଝାଡେଶ୍ୱର ପୀଠକୁ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ଦେବା ପାଇଁ ବିଧାୟକଙ୍କୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଅଚ୍ୟୁତାନନ୍ଦ ଜାନି, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବନୋଜ ନାହାକ, ଗଞ୍ଜାମ ବ୍ଲକ ପ୍ରତିନିଧି ମାନସ ନାହାକ, ମନ୍ଦିର ସଭାପତି କବିରାଜ ସ୍ବାଇଁ, ହୁମ୍ମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ଜୟ ପ୍ରଧାନ, କୃଷ୍ଣ ଚନ୍ଦ୍ର ପଲାଇ ଏବଂ ଯୁବ ନେତା ଲିଙ୍ଗରାଜ ମହାପାତ୍ର ଉପସ୍ଥିତ ଥିଲେ ଓ ସଂଯୋଜନାରେ ସହଯୋଗ କରିଥିଲେ। ଏହି ମହାଯଜ୍ଞ ଓ କଲ୍ୟାଣ ମଣ୍ଡପ ନିର୍ମାଣ ଝାଡେଶ୍ୱର ପୀଠର ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱକୁ ଆହୁରି ବୃଦ୍ଧି କରିବ ବୋଲି ଆଶା କରାଯାଉଛି।


