ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡବତାସରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଧନୁଯାତ୍ରା ତୋରଣ ଭାଙ୍ଗି ଯାଇ ରାସ୍ତା ଉପରେ ପଡ଼ିଛି। ତୋରଣ ଭାଙ୍ଗି ପଡିବାରୁ ସେଠାରେ ରହିଥିବା ୨ରିକ୍ସା ଚାଳକ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଲେଖିଛନ୍ତି। ଗତବର୍ଷ ଧନୁଯାତ୍ରା ସମୟରେ ଏହି ତୋରଣ ନିର୍ମାଣ ହୋଇଥିଲା। ମାତ୍ର ଅଳ୍ପ ସମୟ ବ୍ୟବଧାନରେ କାଳବୈଶାଖୀର ଝଡ଼ ବତାସରେ ତାହା ଭାଙ୍ଗିଯାଇଛି। ଫଳରେ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ଗଠନଗତ ଦୃଢ଼ତା ଉପରେ ପ୍ରଶ୍ନ ଉଠିଛି ବୋଲି ବିଧାୟକ ଚିଠିରେ ଉଲ୍ଲେଖ କରିଛନ୍ତି।