ବନ୍ୟାପାଣିରେ ପହଁରି ଅଟ୍ରି ଗଲେ ବିଧାୟକ

ଖୋର୍ଦ୍ଧା ଅଫିସ,୧୯ା୮:ମହାନଦୀର ଜଳସ୍ତର ବଢ଼ିବା ଯୋଗୁ ଏହାର ଶାଖା ନଦୀ ରଣନଦୀରେ ବନ୍ୟାଜଳ ପ୍ରଭାବିତ ହେଉଛି। ଫଳରେ ଖୋର୍ଦ୍ଧା ଜିଲା ଅଟ୍ରି ସ୍ଥିତ ଉଷ୍ଣ ପ୍ରସ୍ରବଣରେ ୫ରୁ ୬ ଫୁଟର ବନ୍ୟାପାଣି ଲହଡି ମାରୁଛି। ଉଷ୍ମ ପ୍ରସ୍ରବଣ ସମ୍ପୂର୍ଣ୍ଣ ଭାବେ ବୁଡି ରହିଛି। ଏହାକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ୪ଫୁଟ ପାଣି ରହିଛି। ଗୁରୁବାର ବେଗୁନିଆ ବିଧାୟକ ତଥା ଜିଲା ଯୋଜନା କମିଟି ସଭାପତି ବିଧାୟକ ରାଜେନ୍ଦ୍ର କୁମାର ସାହୁ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ବନ୍ୟାଜଳରେ ପହଁରି ଉଷ୍ଣ ପ୍ରସ୍ରବଣରେ ପହଞ୍ଚି ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ। ଉଷ୍ଣ ପ୍ରସ୍ରବଣର କୁଆକୁଣ୍ଡ, ହଟ୍ଟକେଶ୍ୱର ଦେବଙ୍କ ବିଜେ ମଣ୍ଡପ ସମ୍ପୂର୍ଣ୍ଣ ବୁଡି ଯାଇଛି। ପୂର୍ବରୁ ଏହି କୁଆକୁଣ୍ଡ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ବନ୍ୟାଜଳରେ ଏହା ଭୁଶୁଡି ଯାଇଥିବା ଆଶଙ୍କା କରାଯାଉଛି। ଏଠାକୁ ଏବେ ଆସିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଏନେଇ ବିଧାୟକ ସାହୁ କୁହନ୍ତି, ବେଗୁନିଆ ଓ ବୋଲଗଡ ବ୍ଲକର ୧୦ ଗଁା ପ୍ରଭାବିତ ହୋଇଥିବା ବେଳେ ଶତାଧିକ ଏକର ଚାଷଜମି ଜଳମଗ୍ନ ହୋଇଛି। ଉଷ୍ଣ ପ୍ରସ୍ରବଣର ସ୍ଥିତି ପରଖିଛି। ଏହାର ପୁନରୁଦ୍ଧାର ଓ ଆନୁଷଙ୍ଗିକ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଯେକୌଣସି ସମସ୍ୟା ଆସିଲେ ଯଥୋଚିତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।