ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ବଜାର ଗାନ୍ଧୀ ଛକଠାରେ ଏନଏସି କାର୍ଯ୍ୟ ର୍ନିବାହୀ ଅଧିକାରୀ ଅବିନାଶ ମିଶ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦର ସମ୍ପାଦକ ଆଲୋକ ବିଷୋୟୀଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ସଭାପତିତ୍ୱ କରିଥିଲେ। ଏଥିରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣତନ୍ତ୍ରର ସୁରକ୍ଷା ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ। ସହରର ସାମଗ୍ରୀକ ବିକାଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ସହରକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ।
ସଭାରେ କାଉନସିଲର ଦୀପକ କୁମାର ମିଶ୍ର, ସନ୍ତୋଷିନୀ ବେହେରା, ସୁଶାନ୍ତ କୁମାର ପାତ୍ର, ନୀଳମାଧବ ଗୌଡ, ମାମିନୀ ବେହେରା, ସୁନିଲ କୁମାର ପଣ୍ଡା, ଇ.ଗାୟତ୍ରୀ, ଜୋତ୍ସ୍ନା ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏନଏସି ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଏବଂ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେବାସହ ସହରବାସୀଙ୍କ ସହଯୋଗରେ ଏନଏସି ଆହୁରି ଆଗକୁ ବଢି ପାରିବ ବୋଲି କହିଥିଲେ। ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ଏନଏସି ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରୀ ଛାତ୍ର ମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।
ସେହିପରି ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। ସପ୍ତାହ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ଏନଏସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ସଭା ପୂର୍ବରୁ ଦିଗପହଣ୍ଡି ବିଧାୟକ ଏନଏସିର ବିଭିନ୍ନ ୱାର୍ଡରେ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ। ଦିଗପହଣ୍ଡି ଥାନା ନିକଟରେ ଥିବା ଶ୍ମଶାନ ପରିସରରେ ପ୍ରଭୁ ଶିବଙ୍କ ମୂର୍ତ୍ତିର ଶୁଭ ଉଦଘାଟନ କରିଥିଲେ। ଏହାପରେ ନେଳିଆ ବନ୍ଧ ସୌନ୍ଦର୍ଯ୍ୟକରଣର ପ୍ରକଳ୍ପ, ପୁଞ୍ଜିକୟା ଛକ ସ୍ଥିତ ପୋଖରୀ ନିକଟରେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ର ଶିଳାନ୍ୟାସ କରିବା ସହ ଜନତା ଲେନ ରେ ନବର୍ନିମିତ ନୂତନ ପାଠାଗାର ଓ ବହୁମୂଖୀ ଦୋକାନ ଗୃହର ଉଦଘାଟନ କରିଥିଲେ। ପରେ ବଜାର ସାହିର ଶ୍ରୀ ବାଙ୍କ ବିହାରୀ ମଠର ନବୀକରଣ ପ୍ରକଳ୍ପ , ବାଲାଜୀ ମଠ ଏବଂ ପାତାଳେଶ୍ବର ମନ୍ଦିର ନିକଟରେ ଉନ୍ନୟନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ । ପରିଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏନଏସିର ସମସ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।