ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

ବଲାଙ୍ଗୀର ଅଫିସ,୨ା୨: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ବେଲପଡ଼ା ପୋଲିସ ବୁଧବାର ରାତିରେ ଗିରଫ କରିଥିବା ଜଣାପଡ଼ିଛି। କଣ୍ଟାବାଞ୍ଜି-ବେଲପଡ଼ା ରାସ୍ତାରେ ଥିବା ଆଲିସାନ ସିନେମା ହଲର ମାଲିକଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଆଲିସାନ ସିନେମା ହଲ୍‌ଠାରେ କୌଣସି କଥାକୁ ନେଇ ସେଜି ସିଂ ଏବଂ ସିନେମା ହଲ ମାଲିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ୧୦/୧୨ ଜଣ ଯୁବକଙ୍କ ସହ ମିଶି ସେଜି ସିନେମା ହଲ ମାଲିକଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଛି।

 

ଅଭିଯୋଗ ପରେ ଘଟଣାସ୍ଥଳକୁ ପୋଲିସ ପହଞ୍ଚିଥିଲା। ତେବେ ପୋଲିସକୁ ଧକ୍କା ଦେଇ ସେଠାରେ ଥିବା ୧୦/୧୨ ଜଣ ଯୁବକ ଫେରାର ହୋଇଯାଇଥିଲେ। ବେଲପଡ଼ା ଥାନାରେ ଏନେଇ ଏକ ମାମଲା (୨୪/୨୩) ରୁଜୁ କରି ପୋଲିସ ସେଜି ସିଂଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ାଉ ଅଭିଯାନ ଆରମ୍ଭ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ କାବୁ କରିଛି। ଚଢ଼ାଉ ବେଳେ ବିଭିନ୍ନ ସ୍ଥାନରୁ ୧୫ ଲକ୍ଷ ଟଙ୍କା ଓ ବ୍ୟାପକ ମଦ ଜବତ କରିଥିବା ଜଣାପଡ଼ିଛି। ଏନେଇ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକରଙ୍କୁ ପଚରାଯିବାରୁ ଆଲିସାନ ସିନେମା ହଲ ମାଲିକଙ୍କ ଅଭିଯୋଗ ମୁତାବକ ବେଲପଡ଼ା ଥାନାରେ ମାମଲା ରୁଜୁ କରାଯାଇ ସେଜି ସିଂଙ୍କୁ ଗିରଫ କରାଯାଇଛି। ଅନ୍ୟସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ସେ କହିଛନ୍ତି।