ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ବାସୁଦେବପୁର,୨୮ା୧୨(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ସୁଗୋ ଓ ପଦ୍ମପୁର ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସୋମବାର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସମୀକ୍ଷା କରିଛନ୍ତି। ବିଧାୟକ ରାଉତରାୟ ସୁଗୋ ହାଇସ୍କୁଲ, ସୁଗୋ, ପାଟଣା ଉନ୍ନୀତ ଗ୍ରନ୍ଥି ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ କ୍ଷେତ୍ରୀୟ ପରିଦର୍ଶନ କରିଥିଲେ। ବିଦ୍ୟୁତ ଷ୍ଟ୍ରକଚରର ଉନ୍ନତୀକରଣ, କେତେକ ରାସ୍ତାର ମରାମତି ସମେତ ସୁଗୋ ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବା ଦିଗରେ ସେ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ପଦ୍ମପୁର ସ୍ଥିତ ଜୟକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚତ୍ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ସମୀକ୍ଷା କରିଥିଲେ। ଏହି ବିଦ୍ୟାଳୟର ମୋ ସ୍କୁଲ ଅଭିଯାନର ପାଣ୍ଠି ସମ୍ପର୍କରେ ବିଧାୟକ ଜାଣିବାକୁ ଚାହିଁଥିଲେ। ତେବେ ମୋ ସ୍କୁଲ ଅଭିଯାନରେ ଆଶାନୁରୂପକ ପାଣ୍ଠି ଆଦାୟ ହୋଇ ନ ଥିବା ଜାଣି ସର୍ବସମ୍ମୁଖରେ ଏହି ପାଣ୍ଠି ପୁରାତନ ଛାତ୍ରଙ୍କ ଠାରୁ ଆଦାୟ ପାଇଁ ବିଧାୟକ ରାଉତରାୟ ଆଗ୍ରହ କରିଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର ଓମ୍‌ ପ୍ରକାଶ ନାୟକ ପ୍ରଥମେ ବିଦ୍ୟାଳୟ ପାଣ୍ଠି ବୃଦ୍ଧି ପାଇଁ ୧ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଥିଲେ। ପରେ ଅନ୍ୟ ପୁରାତନ ଛାତ୍ରମାନେ ପାଣ୍ଠି ପ୍ରଦାନ କରିଥିଲେ। ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ପାଣ୍ଠି ପ୍ରଦାନ ପାଇଁ ପୁରାତନ ଛାତ୍ରମାନେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ଅସୀତ ଦାସ, ସରପଞ୍ଚ ଦୀନବନ୍ଧୁ ଦାସ, ବିଡିଓ ସତ୍ୟଜିତ ରାଉତ, ବିଇଓ ଜଗବନ୍ଧୁ ସାହୁ, ବିଦ୍ୟୁତ ବିଭାଗ ଏସ୍‌ଡିଓ ବିପ୍ରେସ କୁମାର, ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୀପକ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।